ଭୁବନେଶ୍ୱର (ଏଟିଆର ବ୍ୟୁରୋ ) : ବେଆଇନ କରତକଳ ଉପରେ ଚଢ଼ାଉ କରିବାକୁ ଯାଇ ଛେଚା ଖାଇଲେ ବନ କର୍ମଚାରୀ । କରତକଳ ମାଲିକଙ୍କ ପୋଷା ଗୁଣ୍ଡାଙ୍କ ଆକ୍ରମଣରେ ଲହୁଲୁହାଣ ହୋଇ ଏବେ ଏମାନେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୁରୀ ଜିଲ୍ଳା ସତ୍ୟବାଦୀରେ ଘଟିଛି ଏଭଳି ଲଜ୍ଜାକର ଘଟଣା ।
ମିଳିଥିବା ଖବର ଅନୁସାରେ ସତ୍ୟବାଦୀ ଥାନା ବିଲିପଡାରେ ଦୀର୍ଘଦିନରୁ ବେଆଇନ କରତକଳ ଚାଲୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ତେବେ ଘଟଣାର ସତ୍ୟାସତ୍ୟ ଜାଣିବା ନେଇ ବନବିଭାଗ ଆରମ୍ଭ କରିଥିଲା ତଦନ୍ତ । ତେବେ ତଦନ୍ତରେ ଯାହା ସାମ୍ନାକୁ ଆସିଥିଲା ତାହା ବନବିଭାଗର ହୋସ ଉଡାଇ ଦେଇଥିଲା । ଦିନେ କି’ ମାସେ ନୁହେଁ ବର୍ଷ ବର୍ଷ ଧରି ଚାଲୁଥିଲା ବେଆଇନ କରତକଳ । ତେଣୁ ଏଥିରେ ରୋକ ଲଗାଇବାକୁ ଯାଇ ଅଚାନକ ମଙ୍ଗଳବାର ସନ୍ଧ୍ୟାରେ କରତକଳ ଉପରେ ଚଢ଼ାଉ କରିଥିଲା ବନବିଭାଗ । ଜବତ ହୋଇଥିଲା ଯନ୍ତ୍ରାଶଂ । ତେବେ ଠିକ୍ ଏହି ସମୟରେ କରତକଳ ମାଲିକ ନିଜର ୪୦ରୁ ୫୦ଜଣ ଭଡାଟିଆ ଗୁଣ୍ଡାଙ୍କୁ ଆଣି ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ବନବିଭାଗ ଗାଡି ଓ ପୁଲିସ ଭ୍ୟାନ ଉପରକୁ ଢ଼େଲାମାଡ଼ କରିଥିଲେ । ଘଟଣାରେ ଜଙ୍ଗଲବିଭାଗର କର୍ମଚାରୀ ବିପିନ ସିଂହ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । କେବଳ ବିପିନ ନୁହନ୍ତି ଘଟଣାରେ ଗାଡି ଡ୍ରାଇଭର ସମତେ କେତେକ ଅଧିକାରୀ ମଧ୍ୟ ଆହତ ହୋଇଥିବା ସୂନଚା ମିଳିଛି । ଚିକିତ୍ସା ଲାଗି ସମସ୍ତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଏନେଇ ବନବିଭାଗ ଅଧିକାରୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଶେଷଖବର ମୁତାବକ ଏହି ଘଟଣାରେ କେତେକଙ୍କୁ ଅଟକ ରଖାଯାଇ ପଚରାଉଚରା ଚଳାଇଛି ପୁଲିସ ।