ବ୍ରହ୍ମଗିରି (ଏଟିଆର ବ୍ୟୁରୋ); ଜାରି ରହିଛି କୁକୁଡା ମରା ଅଭିଯାନ । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ବାଡ ଫ୍ଲୁ ଚିହ୍ନଟ ହେବା ପରେ ତିନି ଦିନ ଧରି ଚାଲିଛି ଏହି ଅଭିଯାନ । ୫ଜଣିଆ ଟିମ ଏହି କୁକୁଡା ମରା ଅଭିଯାନରେ ସାମିଲ ହୋଇଛନ୍ତି । କୁକୁଡାକୁ ମାରିବା ପରେ ଗାତ ଖୋଳି ପୋତିଦିଆଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିଛି ନମୁନା ସଂଗ୍ରହ । ବୁଧବାର ଏହି ଟିମ୍ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ରାମଲେଙ୍କା ଗାଁରେ ଚାଲିଛି କୁକୁଡା ମରା । ଗାଁରେ ଥିବା ସମସ୍ତ ଫାର୍ମରେ ବୁଲି ନମୁନା ସଂଗ୍ରହ କରିବା ସହ କୁକୁଡା ମରାଯାଉଥିବା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କୃଷ୍ଣପ୍ରସାଦ ଓ ମାଲୁଦ ଅଞ୍ଚଳରେ ପ୍ରଥମେ ଶହ ଶହ ସଂଖ୍ୟାରେ କାଉ ମରି ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ହଜାର ହଜାର କୁକୁଡା ମଡକ ହୋଇଥିଲା । ପରେ ଚିଲିକା କୂଳରେ ଚିଲ ମରି ପଡିଥିଲେ । ଏଭଳି ପକ୍ଷୀମଡକ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଥିଲା । ପରେ ପ୍ରାଣୀ ଚିକିତ୍ସକ ମୃତ ପକ୍ଷୀମାନଙ୍କର ମଳ, ମୂତ୍ର ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୋପାଳ ପଠାଇଥିଲେ । ସେଠାରୁ ବାର୍ଡ ଫ୍ଲୁ ନେଇ ପଜିଟିଭ ରିପୋର୍ଟ ଆସିବା ପରେ ସତର୍କତା ମୂଳକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।