ଭୁବନେଶ୍ୱର,୧୭/୨: ବିଜେପୁର ଉପନିର୍ବାଚନର ତାତି ବଢ଼ୁଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଦଳର ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇବେ । ତେବେ ଦୀର୍ଘ ୧୮ ବର୍ଷର କ୍ଷମତାରେ ଥିବା ନବୀନ ପଟ୍ଟନାୟକ ପୂର୍ବରୁ ଯାହା କରି ନଥିଲେ ୨୦୧୮ରେ କିନ୍ତୁ ସେମିତି କିଛି କରିବାକୁ ଯାଉଛନ୍ତି । ତାଙ୍କ ରାଜନୀତିକ କ୍ୟାରିୟର ମଧ୍ୟରେ ନବୀନ ପ୍ରଥମଥର ପାଇଁ ପଶ୍ଚିମ ଓଡ଼ିଶାରେ ରାତି କାଟିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତା ମଙ୍ଗଳବାର ଓ ବୁଧବାର ନବୀନ ମାରାଥନ୍ ପ୍ରଚାରରେ ଯିବେ । ୨୦ତାରିଖରେ ପ୍ରଚାର ଶେଷ କରିବା ପରେ ନବୀନ ସନ୍ଧ୍ୟା ୭ଟାରେ ବରଗଡ଼ ସର୍କିଟ ହାଉସ୍କୁ ଫେରି ସେଠାରେ ରାତି ବିତାଇବେ ।
୨୨ ତାରିଖରେ ନିର୍ବାଚନ ପ୍ରଚାର ଶେଷ ତାରିଖ ଥିବାରୁ ନବୀନ ୨୦ ତାରିଖରେ ହେଲିକପ୍ଟର ଯୋଗେ ବରପାଲି ଯାଇ ସେଠାରେ ବିଜେଡି ପକ୍ଷରୁ ଆୟୋଜିତ ସାଧାରଣ ସଭାକୁ ଉଦ୍ବୋଧନ ଦେବେ । ବରପାଲିର ପିଡବ୍ଲ୍ୟୁଡି ଆଇବିରେ ମଧ୍ୟାହ୍ନ ଭୋଜନ କରିବା ପରେ ସେଠାରୁ କୁମ୍ଭାର ଯିବେ । ସେଠାରେ ନବୀନ ରୋଡ୍ ଶୋ’ ଜରିଆରେ ନିଜର ଶକ୍ତିପ୍ରଦର୍ଶନ କରିବେ । ଏହି ଶକ୍ତିପ୍ରଦର୍ଶନ ପରେ ଆଗଲପୁରରେ ମଧ୍ୟ ନବୀନଙ୍କ ନେତୃତ୍ୱରେ ବିଜେଡି ରୋଡ୍ ଶୋ’ କରିବ । ବରପାଲି ବ୍ଲକ୍ ଓ ଏନ୍ଏସିରେ ସାଧାରଣ ସଭା ଏବଂ ରୋଡ୍ ଶୋ’ କରିବା ପରେ ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ସାଢ଼େ ୬ଟାରେ ସଡ଼କ ମାର୍ଗରେ ବରଗଡ଼ ସର୍କିଟ ହାଉସ୍କୁ ଫେରିବେ । ସେଠାରେ ସେ ବିଜେପୁର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବା ଦଳର ଯୁବନେତା ଓ ବରିଷ୍ଠ ନେତାଙ୍କ ସହ ଦଳୀୟ ରଣନୀତି ଉପରେ ବିଚାରବିମର୍ଶ କରିବେ । ୨୧ ତାରିଖରେ ନବୀନ ପୂର୍ବାହ୍ନରେ ବିଜେପୁର ନିର୍ବାଚନମଣ୍ଡଳୀର କିଛି ସ୍ଥାନୀୟ ନେତା ଓ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟା ୨୫ମିନିଟ୍ରେ ସେ ସଡ଼କ ମାର୍ଗରେ ବରଗଡ଼ସ୍ଥିତ ବଡ଼ଗାଁ ହେଲିପ୍ୟାଡ୍ ଗ୍ରାଉଣ୍ଡକୁ ଯିବେ ।
ସେଠାରୁ ହେଲିକପ୍ଟର ଯୋଗେ ଗାଇସିଲେଟ୍ ବ୍ଳକ୍ର କଲାଙ୍ଗପାଲି ଯିବେ । ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିବେ । ଏହାପରେ ହେଲିକପ୍ଟର ଯୋଗେ ପଦ୍ମପୁରର ସାତିଭଟ୍ଟା ଏୟାରଷ୍ଟ୍ରିପ୍କୁ ଯିବେ । ସଡ଼କ ମାର୍ଗରେ ପଦ୍ମପୁର ପିଡବ୍ଲ୍ୟୁଡି ଆଇବିକୁ ଯାଇ ମଧ୍ୟାହ୍ନ ଭୋଜନ କରିବେ । ତା’ପରେ ହେଲିକପ୍ଟର ଯୋଗେ ବିଜେପୁର ହାଇସ୍କୁଲ ପଡ଼ିଆରେ ଅବତରଣ କରି ସେଠାରେ ଦିନ ୩ଟା ୫୦ମିନିଟ୍ରେ ଏକ ଜନସଭାକୁ ସମ୍ବୋଧିତ କରିବେ । ଅପରାହ୍ନ ସାଢ଼େ ୪ଟାରେ ବିଜେପୁରରୁ ହେଲିକପ୍ଟର ଯୋଗେ ସିଧାସଳଖ ଭୁବନେଶ୍ୱର ଫେରିବେ । ପୂର୍ବରୁ ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ନବୀନ ୧୯ ଓ ୨୧ ତାରିଖରେ ଯିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଆଜି ଏଥିରେ ପରିବର୍ତ୍ତନ କରାଯାଇଛି ।