ମୁମ୍ବାଇ, ୧୯ା୨: ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ(ପିଏନବି)ରେ ହୋଇଥିବା ମହାଦୁର୍ନୀତି ଘଟଣାରେ ଏବେ ବି ଧରପଗଡ଼ ଜାରି ରହିଛି । ସିବିଆଇ ଟିମ୍ ଆଜି ପିଏନବିରୁ କାର୍ଯ୍ୟରେ ଅବହେଳା ହୋଇଥିବା ୧୧ ଜଣ କର୍ମଚାରୀଙ୍କୁ ଦୀର୍ଘ ସମୟଧରି ଜେରା କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଜବତ କରିଛି । ଏହାପରେ ସିବିଆଇ ପିଏନବିର ମୁମ୍ବାଇସ୍ଥିତ ବ୍ରାଡି ହାଉସ୍ ଶାଖା କାର୍ଯ୍ୟାଳୟକୁ ସିଲ୍ କରିଦେଇଛି ।
ଅନ୍ୟପକ୍ଷରେ ୧୧,୩୦୦ କୋଟି ଟଙ୍କାର ବ୍ୟାଙ୍କ୍ ଜାଲିଆତି ଘଟଣାର ମୁଖ୍ୟ ସୂତ୍ରଧର ହୀରା ବ୍ୟବସାୟୀ ନିରବ୍ ମୋଦିଙ୍କ ଫାୟାର୍ଷ୍ଟାର୍ ଡାଏମଣ୍ଡସ୍ ଇଣ୍ଟର୍ନ୍ୟାସନାଲ୍ କମ୍ପାନୀର ମୁଖ୍ୟ ଅର୍ଥନୈତିକ ଅଧିକାରୀ ବିପୁଲ୍ ଅମ୍ବାନିଙ୍କ ସମେତ କମ୍ପାନୀର ଅନ୍ୟ କେତେଜଣ କର୍ମଚାରୀଙ୍କୁ ସିବିଆଇ ୮ଘଣ୍ଟା କାଳ ଜେରା କରି ବହୁ ତଥ୍ୟ ହାସଲ କରିଛି । ବିପୁଲଙ୍କୁ କମ୍ପାନୀର କାରବାର ସମ୍ପର୍କିତ କେତେକ ଡକ୍ୟୁମେଣ୍ଟ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ପୂର୍ବରୁ ନ୍ୟୁୟର୍କର ଗ୍ରାଣ୍ଡ ହୋଟେଲ୍ରେ ରହୁଥିବା ନିରବ୍ ମୋଦି ଏବେ ଦୁବାଇରେ ଆତ୍ମଗୋପନ କରିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି । କାରଣ ନିରବକୁଂ ଆଇନ୍ ଗତ ପରାମର୍ଶଦାତା ଟିମ୍ କୁଂ ଆଜି ଦୁବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲଶ । ସିବିଆଇ ଆଜି ହଂକଂ ଓ ଆଉ କିଛି ଦେଶକୁ ଚିଠି ଲେଖି ନିରବ ଓ ଚୋକ୍ସିଙ୍କ ସନ୍ଧାନ ଦେବାକୁ ଅନୁରୋଧ କରିଛି ।
ନିରବ୍ ମୋଦି ଓ ତାଙ୍କ ମାମୁ ତଥା ବ୍ୟବସାୟିକ ସହଯୋଗୀ ମେହୁଲ୍ ଚୋକ୍ସି ପିଏନବିର ବ୍ରାଡି ହାଉସ୍ ଶାଖାର ପୂର୍ବତନ ଡିଜିଏମ୍ ଗୋକୁଲ୍ନାଥ ସେଟ୍ଟିଙ୍କ ସମେତ ଆଉ କିଛି ଅଧିକାରୀଙ୍କୁ ହାତ କରି ୨୦୧୧ରୁ ୨୦୧୭ ର ପ୍ରଥମାର୍ଦ୍ଧ ମଧ୍ୟରେ ଜାଲ୍ ଏଲ୍ଓୟୁ ଜରିଆରେ ଋଣ ଉଠାଇଥିଲେ । ଜାଲ୍ ଏଲ୍ଓୟୁଗୁଡ଼ିକ ଦ୍ୱାରା ନିରବ୍, ତାଙ୍କ ପତ୍ନୀ ଓ ଭାଇ ଏବଂ ମେହୁଲ୍ ବିଦେଶରେ ଥିବା କେତେକ ଭାରତୀୟ ବ୍ୟାଙ୍କର ଶାଖାରୁ ୧୧,୩୦୦ କୋଟି ଟଙ୍କାର ଋଣ ଆକାରରେ ଉଠାଇଥିଲେ ହେଁ ଏହାକୁ ପରିଶୋଧ କରିନାହାନ୍ତି । ଏହି ଅଭିଯୋଗ ପରେ ଫେବୃଆରୀ ୧୪ରୁ ସିବିଆଇ, ଇଡି, ଆୟକର ବିଭାଗ, ସିରିୟସ୍ ଫ୍ରଡ୍ ଇନ୍ଭେଷ୍ଟିଗେସନ୍ ଅଫିସ୍, ଡାଇରେକ୍ଟୋରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ, ଫିନାନ୍ସିଆଲ୍ ଇଣ୍ଟେଲିଜେନ୍ସ ୟୁନିଟ୍ ଆଦି ତଦନ୍ତକାରୀ ସଂସ୍ଥା ତଦନ୍ତରେ ଲାଗିଛନ୍ତି ।
ଅଭିଯୁକ୍ତମାନଙ୍କର ୨୯ଟି ସ୍ଥାବର ସମ୍ପତ୍ତି ସିଲ୍ କରିବା ସମେତ ୫,୮୦୦ କୋଟି ଟଙ୍କା ମୂଲ୍ୟର ହୀରା, ଗହଣା ଓ ସୁନା ଏଯାଏ ଜବତ କରିଛି । ଆଜି ମଧ୍ୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ୩୬ଟି ଠିକଣାରେ ଖାନତଲାସୀ ଚଳାଇଛନ୍ତି । ନିରବ୍ ମୋଦିଙ୍କ ଟିମ୍ ସେଟ୍ଟିଙ୍କ ସମେତ ପିଏନ୍ବିର ଅନ୍ୟ କେତେଜଣ ଅଫିସରଙ୍କ ଲେଭେଲ୍-୫ ପାସ୍ୱାର୍ଡ ନେଇ ନିଜେ ବ୍ୟାଙ୍କର ‘ସ୍ୱିଫ୍ଟ ସିଷ୍ଟମ୍’ ଲଗ୍ଅନ୍ କରୁଥିଲେ । ଏହା ଜାଣୁଥିବା ବ୍ୟାଙ୍କ କର୍ମଚାରୀମାନେ ପ୍ରତ୍ୟେକ ଜାଲ୍ ଲେଟର୍ ଅଫ୍ ଅଣ୍ଡର୍ଟେକିଂ ବା ଏଲ୍ଓୟୁ ଇସ୍ୟୁ ପାଇଁ ନିର୍ଦ୍ଦିଷ୍ଟ ପ୍ରତିଶତର କମିଶନ୍ ପାଉଥିଲେ ଓ ପରସ୍ପର ମଧ୍ୟରେ ବାଣ୍ଟି ନେଉଥିଲେ । ଜେରା ବେଳେ ସେଟ୍ଟି ଓ ଖାରାତ୍ ଏହି ଜାଲିଆତିରେ ସଂପୃକ୍ତ ଥିବା ଓ ସହଯୋଗ ଦେଇଥିବା ଅନ୍ୟୂନ ୬ ଜଣ ବ୍ୟାଙ୍କ କର୍ମଚାରୀଙ୍କ ନାମ କହିଛନ୍ତି । ନିରବ ଓ ମେହୁଲଙ୍କୁ ଅପରାଧିକ ସହଯୋଗ ଦେଇ ବ୍ୟାଙ୍କ କର୍ମଚାରୀମାନେ ୨୦୧୧ରୁ ୨୦୧୭ ପ୍ରଥମାର୍ଦ୍ଧ ସୁଦ୍ଧା ୮୨୩ କୋଟି ଟଙ୍କା ଲାଞ୍ଚ ବା କମିଶନ୍ ଆକାରରେ ନେଇଥିବା ଆକଳନ କରାଯାଉଛି ।