ସମ୍ବଲପୁର (ଏଟିଆର ବ୍ୟୁରୋ); ପୁଣି ଏକ ପିକନି କବସ ଦୁର୍ଘଟଣାର ଶିକାର ହୋଇଛି । ଟ୍ୟାଙ୍କର ସହ ମୁହାଁ ମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି । ପୋଲିସ ଖବର ପାଇ ମୃତ ଦେହକୁ ଉଦ୍ଧାର କରିଥିବା ବେଳେ ଆହତଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କୁ ବୁର୍ଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଦ୍ୱୟ ହେଲେ ଶୁକଦେବ ଦାଶ ଏବଂ ମାତାଜୀ ଦାଶ । ଉଭୟଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡିଛି ।
ଯାଜପୁର ଜିଲ୍ଲା ଅନ୍ତର୍ଗତ ବିକ୍ରମତିରଣ ଏବଂ ନଳୀପୁର ଅଞ୍ଚଳର ୩୦ରୁ ଅଧିକ ଲୋକ ପିକନିକ ଆସିଥିଲେ । ସେମାନେ ସମ୍ବଲପୁରରେ ବୁଲାବୁଲି କରି ରେଢ଼ାଖୋଲ ଅଭିମୂଖେ ବାହାରିଥିଲେ । ଫେରୁଥିବା ବେଳେ ରେଢ଼ାଖୋଲର କୟାକୁଦଠାରେ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବଂ ବସ ସାମ୍ନା ପଟ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି । ସ୍ଥାନୀୟ ଲୋକ ଆହତ ମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।