ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । କିଏ ଦଳରୁ ତଡା ଖାଇଲାଣି ତ ଆଉ କିଏ ନିଜେ ଇସ୍ତଫା ଦେଇ ଅନ୍ୟ ଦଳରେ ମିଶିଲାଣି । ୨୦୧୯ ସାଧାରଣ ନିର୍ବାଚନ ବୈତରଣୀ ପାର ହେବା ପାଇଁ ସବୁ ନେତା ନିଜର ବାଟ ବାଛି ନେଇଥିବା ବେଳେ ଉକ୍ରଳ ଭାରତ ଏବଂ ସମତାକ୍ରାନ୍ତିି ଦଳ ମିଶି ନିର୍ବାଚନ ଲଢ଼ିବାର ନିଷ୍ପତି ନେଇଛନ୍ତି । ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସମତାକ୍ରାନ୍ତି ମୁଖ୍ୟ ବ୍ରଜ ତ୍ରିପାଠୀ ଏବଂ ଉକ୍ରଳ ଭାରତ ପ୍ରତିଷ୍ଠାତା ଖାରବେଳ ସ୍ୱାଇଁ ସୂଚନା ଦେଇଛନ୍ତି । ଏଣୁ ଦୁହେଁ ମିଶି ଓଡିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ କରିଛନ୍ତି ।
ରାଜ୍ୟ ସରକାର ଦୀର୍ଘ ଦିନ ଶାସନରେ ରହି ରାଜ୍ୟରେ ଅନ୍ୟାୟ ଅନିତି କରି ଚାଲୁଛି । ଆଜି ବି ଲୋକ ଅନ୍ଧାରରେ ରହିଛନ୍ତି । ଗାଁ ଗାଁକୁ ରାସ୍ତା ନାହିଁ । ଭାରରେ ବୁହା ହେଉଛନ୍ତି ରୋଗୀ । ଏଭଳି ବିଭିନ୍ନ ସମସ୍ୟାକୁ ନେଇ ୨୦୧୯ରେ ରାଜ୍ୟ ସରକାରଙ୍କ ବିରୋଧରେ ଲଢ଼ିବେ ଓଡିଶା ଗଣତାନ୍ତ୍ରିକ ସାମୁଖ୍ୟ । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବେ ଏବଂ ସଭାସମିତି କରି ଅପାରକ ସରକାରକୁ ଶାସନ ଗାଦିରୁ ହଟାଇବେ ବୋଲି ସୂଚନା ଦେଇଛନ୍ତି । ଓଡ଼ିଶା ଗଣତାନ୍ତ୍ରିକ ସାମୁଖ୍ୟ କ୍ଷମତାକୁ ଆସିଲେ ଶିଳ୍ପର ବିସ୍ତାର, ବେକାରୀ ଦୂରୀକରଣ, କୃଷି ସମସ୍ୟା ଦୂର ଓ ଉଚ୍ଚ ଶିକ୍ଷାର ମାନ ବୃଦ୍ଧି କରିବ ବୋଲି ଦୁଇ ନେତା ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ବିଜେଡି ବିରୋଧୀ ଦଳ ଏହି ସାମୁଖ୍ୟରେ ଯୋଗ ଦେବାକୁ ଉଭୟ ନେତା ଅନୁରୋଧ କରିଛନ୍ତି।