ସୋର (ଏଟିଆର ବ୍ୟୁରୋ); କିଛି ମାସ ହେବ ଚର୍ଚ୍ଚାରେ ରହି ଆସୁଛି କନ୍ୟାଶ୍ରମ । ସେ ଢ଼େଙ୍କାନାଳ ହେଉ ବା କଳାହାଣ୍ଡି । ରାଜ୍ୟର ସବୁ କନ୍ୟାଶ୍ରମ ରହୁଛି ଚର୍ଚ୍ଚାରେ । ଛାତ୍ରୀ ମା ହେବା ଘଟଣା ହେଉ ବା ନିର୍ଯ୍ୟାତନା । ଏଭଳି ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାରେ ରହି ଆସୁଛି । ତେବେ ପୁଣି ଏକ ଘଟଣା ନଜରକୁ ଆସିଛି । କନ୍ୟାଶ୍ରମରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଥିବା ଏ ହେଉଛି ସେହି ପୁରୁବାଇ କନ୍ୟାଶ୍ରମ ଯେଉଁଠି ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ହେମାଙ୍ଗୀନି ହାଂସଦା ନାମ୍ନୀ ୮ବର୍ଷର ଜଣେ ଛାତ୍ରୀଙ୍କ ଆଜି ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । କେବଳ ଏତିକି ନୁହେଁ ସରଶ୍ୱତୀ ମଳିକ ନାମ୍ନୀ ଆଉ ଜଣେ ନାବାଳିକାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ତେବେ ଏଭଳି କ୍ଷେତ୍ରରେ କନ୍ୟାଶ୍ରମର ଭୁମିକାକୁ ନେଇ ସନ୍ଦେହ ଉପୁଜିଥିବା ବେଳେ ଏନେଇ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ ।
ସେପଟେ ଗୁରୁତର ଅସୁସ୍ଥ ଥିବା ନାବାଳିକା ସରସ୍ୱତୀଙ୍କୁ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ଜଣାପଡିବା ପରେ ଯଦିଓ ପ୍ରଶାସନ ତତ୍ପର ହୋଇ ଉଠିଛି ତଥାପି ଏଯାବତ କନ୍ୟାଶ୍ରମ କର୍ତ୍ତୃପକ୍ଷକୁ ଏ ସର୍ମ୍ପକରେ କୌଣସି ପଚରାଉଚରା କରାଯାଇନଥିବା ଜଣାପଡିଛି । ସେପଟେ ତହସିଲଦାର ଘଟଣା ସମ୍ପର୍କରେ ଶିଶୁ ସୁରକ୍ଷା ଆୟୋଗର ସହଯୋଗ ଲୋଡିଛନ୍ତି । ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ସତ ସାମ୍ନାକୁ ଆସିବ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ।