ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣି ଫେରିଛି ଜାଡ । ମଝିରେ କିଛିଦିନ ଥଣ୍ଡା ଟିକେ କମି ଯାଇଥିଲା । ମାତ୍ର ପୁଣି ଜାଡ ଫେରିବାରୁ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି । ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ସବୁଠି ତଳ ମୁହାଁ ପାରଦ। ଅସ୍ତବ୍ୟସ୍ତ କରିପକାଇଲାଣି ଥଣ୍ଡା। ମାଘ ମାସରେ ବାଘ ଭଳି ଜାଡ଼ ଅନୁଭୂତ ହେଉଛି। ଶରୀର କାଲୁଆ କରି ପକାଉଛି। ସନ୍ଧ୍ୟା ହେବା କ୍ଷଣି ଲୋକେ ଘରେ ପଶୁଛନ୍ତି ଯେ ସକାଳ ୯ଟା ନ ହେବା ଯାଏ ପଦାକୁ ବାହାରିପାରୁ ନାହାନ୍ତି। ରାତି ୯ଟା ହୋଇଗଲେ ରାସ୍ତା ଜନଶୂନ୍ୟ ହୋଇ ପଡୁଥିବା ଦେଖିବକାକୁ ମିଳୁଛି । କେତେକ ଜାଗାରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁ ପୁଆଁଉଛନ୍ତି । ପଶ୍ଚିମ ଓଡିଶାର କେତେକ ଅଞ୍ଚଳ ତଥା ଦାରିଙ୍ଗବାଡି ଏବଂ ଫୁଲବାଣୀର ଠାଏଁ ଠାଏଁ ଜାଗାରେ ବରଫ ପଡୁଥିବା ଦେଖିବାକୁ ମିଳିଛି ।
ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଫେବ୍ରୁଆରି ୧ ତାରିଖ ସକାଳେ ପ୍ରଚଣ୍ଡ ଥଣ୍ଡା ଅନୁଭୂତ ହେବ। ଏବେ ଉତ୍ତର ଓ ପଶ୍ଚିମ ଭାରତରେ ଯେଉଁଭଳି ଥଣ୍ଡା ଅନୁଭୂତ ହେଉଛି ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଉପୁଜିବ। ସର୍ବନିମ୍ନ ତାପମାତ୍ରା ହାରାହାରିଠାରୁ ୩ରୁ ୫ ଡିଗ୍ରି ତଳେ ରହିବ। କଶ୍ମୀର ଓ ହିମାଚଳ ପ୍ରଦେଶର କେତେକ ସ୍ଥାନରେ ବର୍ଷା ସହ ବରଫ ପଡ଼ିବ। ଉତ୍ତରାଖଣ୍ଡ, ପଞ୍ଜାମ, ହରିୟାଣା, ଛତିଶଗଡ଼, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ରାଜସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ଝଡ଼ ଲାଗିରହିବ। ଓଡ଼ିଶା ସମେତ ପୂର୍ବ ମଧ୍ୟପ୍ରଦେଶ, ତେଲେଙ୍ଗାନା, ବିଦର୍ଭ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରରେ ପ୍ରବଳ ଥଣ୍ଡା ହେବ। ଓଡ଼ିଶାରେ ପ୍ରଚଣ୍ଡ ଥଣ୍ଡା ହେବାକୁ ଥିବାରୁ ରାଜ୍ୟ ସରକାର ଆଲର୍ଟ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଫେବ୍ରୁଆରି ୨ରେ ଓଡ଼ିଶା ସମେତ ଗୁଜୁରାଟରେ ପ୍ରବଳ ଥଣ୍ଡା ଲାଗିରହିବାକୁ ଥିବା ବେଳେ ପଞ୍ଜାବ, ହରିୟାନା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ଘନ କୁହୁଡ଼ି ହେବା ନେଇ ପୂର୍ବାନୁମାନ କରାଯାଇଛି।
ସେପଟେ ଆଜି ୧୫ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଦାରିଙ୍ଗବାଡ଼ି ଓ ଅନୁଗୁଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୬.୨, ଫୁଲବାଣୀରେ ୬.୮, ବଲାଙ୍ଗୀରରେ ୭.୪, ଟିଟିଲାଗଡ଼ରେ ୭.୫ ଡିଗ୍ରି ରହିଥିଲା। ଦକ୍ଷିଣ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାର ତାପମାତ୍ରା ତଳ ମୁହାଁ ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ କିନ୍ତୁ ରାତିର ତାପମାତ୍ରା ସ୍ଥିର ରହିଛି। ତେବେ ଏହି ଜାଡ ପାଇଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।