ପଟ୍ଟାମୁଣ୍ଡାଇ (ଏଟିଆର ବ୍ୟୁରୋ): ଏବେ ରାଜ୍ୟରେ ସକାଳ ବେଳା ଯେଉଁଭଳି ଭାବେ କୁହୁଡି ହେଉଛି ବାଟଘାଟ କିଛି ଦେଖା ଯାଉନାହିଁ । ତେବେ ଏହି କୁହୁଡିରେ ଆଜି ଏକ ମୋଟରଲଞ୍ଚ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି । ସୂଚନା ଅନୁସାରେ ଆଜି ସକାଳୁ ତାଳଚୁଆରୁ ଚାନ୍ଦବାଲି ଯାଉଥିବା ଏକ ମୋଟରଲଞ୍ଚ କୁହୁଡି ହେତୁ ବାଟ ଜାଣି ନପାରି ସମୁଦ୍ର ଭିତରେ ତିନି ଘଣ୍ଟାକାଳ ଅଟକି ରହିଥିଲା । ସୂଚନା ଅନୁସାରେ ଲଞ୍ଚଟି ରାସ୍ତା ଜାଣିନପାରି ସମୁଦ୍ର ଭିତରକୁ ଚାଲିଯାଇଥିଲା ।
ଏହି ଲଞ୍ଚରେ ଛୋଟ ବଡ ମିଶାଇ ୩୦ ଜଣ ଯାତ୍ରୀ ରହିଥିଲେ । ଲଞ୍ଚ ଚାଳକ ରାସ୍ତା ଜାଣି ନପାରି କିଛି ବାଟ ସମୁଦ୍ର ଭିତରକୁ ପସିବା ପରେ ତାଙ୍କର ସନ୍ଦେହ ହେବାରୁ ସେ ଅନୁମାନ କରିଥିଲେ ଲଞ୍ଚଟି ସମୁଦ୍ର ଭିତରକୁ ଯାଉଛି ବୋଲି । ଫଳରେ ସେ ଲଞ୍ଚକୁ ଆଗକୁ ନଗଡାଇ ୩ ଘଣ୍ଟାକାଳ ଗୋଟିଏ ସ୍ଥାନରେ ଅଟକାଇ ରଖିଥିଲେ । ପରେ ସକାଳ ୯ ଟା ବେଳେ କୁହୁଡି ସାମାନ୍ୟ କମିବାରୁ ଲଞ୍ଚକୁ କୂଳକୁ ଆଣିବାକୁ ଉଦ୍ୟମ କରିଥିଲେ ।