ପୁରୀ (ଏଟିଆର ବ୍ୟୁରୋ); ଆଜି ମହାପ୍ରଭୁଙ୍କ ସୁନା ବେଶ । ଗତକାଲି ମାଉସୀ ମାଙ୍କ ଘରୁ ଆସିବା ପରେ ବଡ ଦାଣ୍ଡରେ ଅଟକି ରହିଛନ୍ତି ଚତୁର୍ଦ୍ଧା ମୁରତୀ । ନୀତି ଅନୁଯାୟୀ ଆଜି ମହାପ୍ରଭୁଙ୍କ ସୁନାବେଶ । ଅଳଙ୍କାରରେ ସଜେଇ ହେବେ ବଳଭଦ୍ର,ସୁଭଦ୍ର ଏବଂ କାଳିଆ ସାଆନ୍ତେ । ଅପରାହ୍ଣ ୪ଟାରୁ ଶ୍ରୀଜିଉଙ୍କ ସୁନାବେଶ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ରାତି ପ୍ରାୟ ୮ଟାରେ ସନ୍ଧ୍ୟା ଧୂପ ଓ ରାତି ୧୨ଟା ୩୦ରେ ମହାପ୍ରଭୁଙ୍କ ଚନ୍ଦନଲାଗି ହେବାର କାର୍ଯ୍ୟକ୍ରମରହିଛି।
ସର୍ବଦା ରତ୍ନବେଦୀରେ ସୁନାବେଶରେ ଦର୍ଶନ ଦେଉଥିବା ମହାପ୍ରଭୁ ରତ୍ନଖଚିତ ଦୁଇ ଶହ କିଲୋଗ୍ରାମରୁ ଅଧିକ ଓଜନର ସୁନା, ରୁପା ଆଦି ଅଳଙ୍କାର ପିନ୍ଧି ଭକ୍ତଙ୍କୁ ବଡ଼ଦାଣ୍ଡରେ ରଥ ଉପରୁ ଦର୍ଶନ ଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବାବେଳେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚାତକ ନୟନରେ ଚାହିଁ ବସିଛନ୍ତି।
ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ଭୋର ୬ଟାରୁ ସାଢ଼େ ୬ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ଶେଷ ହେବ। ସକାଳ ୭ଟାରେ ମଇଲମ ଓ ତଡ଼ପଲାଗି, ୮ଟାରେ ଅବକାଶ, ୯ଟାରେ ବେଶଶେଷ, ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ଗୋପାଳବଲ୍ଲଭ, ପୂର୍ବାହ୍ଣ ୧୧ଟାରୁ ୧୨ଟା ସକାଳ ଧୂପ, ମଧ୍ୟାହ୍ନ ସାଢ଼େ ୧୨ଟାରେ ମଇଲମ, ଅପରାହ୍ଣ ଗୋଟାଏରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ସାଢ଼େ ଗୋଟାଏରେ ବେଶ ଶେଷ, ଅପରାହ୍ଣ ୨ଟାରୁ ୩ଟାରେ ମଧ୍ୟାହ୍ନ ଧୂପ, ଅପରାହ୍ଣ ସାଢ଼େ ୩ଟାରେ ମଇଲମ, ଅପରାହ୍ଣ ୪ଟାରେ ମେକାପ ସର୍ବାଙ୍ଗ ନୀତି ସଂପନ୍ନ ହେବ। ଅପରାହ୍ଣ ୪ଟାରୁ ୫ଟା ଭିତରେ ତିନି ଠାକୁରଙ୍କୁ ସୁନାବେଶ କରାଯିବା ପରେ ଭକ୍ତଙ୍କ ସୁନାବେଶ ଦର୍ଶନ ଆରମ୍ଭ ହେବ।