ଭୁୁବନେଶ୍ୱର (ଏଟିଆର ବ୍ୟୁରୋ): ବିଦେଶ ବୁଲାଇବା ପାଇଁ ସ୍ୱପ୍ନ ଦେଖାଇଲେ । ଜଣେ କି ଦୁଇ ଜଣ ନୁହେଁ ଶହେରୁ ଅଧିକଙ୍କୁ ଠକିଲେ । ଦିନରେ ଚାନ୍ଦ ଦେଖାଇ ୨ କୋଟି ଟଙ୍କା ଠକି ନେଇଛି ‘ପ୍ୟାନ୍ ଇଣ୍ଡିଆ ଲିଜ ହଲିଡ଼େ ରିସର୍ଚ୍ଚ’ ନାମକ ଏକ ସଂସ୍ଥା । ଯାହାର ମୁଖ୍ୟ ସ୍ମୃତିରଂଜନ ବିଶ୍ୱାଳ ଓ ସ୍ତ୍ରୀ ମନୀଷା ସାମଲକୁ ଏବେ ଖୋଜିବା ଆରମ୍ଭ କରିଛି ପୁଲିସ୍ । କୋଟି କୋଟି ଟଙ୍କା ନେଇ ଅଫିସରେ ତାଲା ଝୁଲାଇ ଉଭୟ ଚମ୍ପଟ ମାରିଛନ୍ତି । ଏସମ୍ପର୍କୀତ ଅଭିଯୋଗ ପହଞ୍ôଚଛନ୍ତି ବଡ଼ଗଡ଼ ଥାନାରେ । ଅଭିଯୋଗ ପାଇ ପୁଲିସ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏନେଇ ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି,ଏହି ଠକେଇ ଘଟଣାର ତଦନ୍ତ ଜାରି ରହିଛି, ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ । ଏହା ଏକ ବଡ ଧରଣର ଠକେଇ ହୋଇଥିବାରୁ ପୁଲିସ୍ ଏହି ଘଟଣାକୁ ଅତି ସମ୍ବେଦନଶୀଳ ଭାବେ ନେଇଛି ।
ଅଭିଯୋଗ ଅନୁଯାୟୀ, ବଡ଼ଗଡ଼ ଥାନା ନିକଟସ୍ଥ ବିଏମ୍ସି ଅଫିସ ସମ୍ମୁଖରେ ସ୍ମୃତିରଂଜନ ଓ ପତ୍ନୀ ମନୀଷା ପ୍ୟାନ୍ ଇଣ୍ଡିଆ ହଲିଡ଼େ ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ ଖୋଲିଥିଲେ । ବିଭିନ୍ନ ଲୋକଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ଲୋକଙ୍କୁ ଫୋନ୍ ଜରିଆରେ ସେମାନଙ୍କର ଲକି ଡ୍ର ହୋଇଥିବା ଲୋଭ ଦେଖାଇଥିଲେ । ଖାଲି ଏତିକି ନୁହେଁ ଏହି କମ୍ପାନୀ ଗିଫ୍ଟ ସହ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରୁଥିବା ମଧ୍ୟ କହିଥିଲା । ଲୋଭନୀୟ କଥା ଶୁଣି ଅଫିସକୁ ଦୌଡିଥିଲେ ଲୋକେ । ଅଫିସରେ ଚାହା, କଫି ଦେଇ ଲୋକଙ୍କୁ ଚିକଣ କଥା କହି ବିଭିନ୍ନ ଦେଶ ବିଦେଶ ବୁଲେଇବାର ସପ୍ନ ଦେଖାଇଥିଲେ ।
ଦାର୍ଜିଲିଂ,ବ୍ୟାଙ୍କକ୍, ସୁମିତ୍ରା ଆଦି ଦେଶକୁ ବୁଲାଇ ନେବା ପାଇଁ କହିଥିଲେ । ଏଥିପାଇଁ ଲୋକଙ୍କଠାରୁ ଆଦାୟ କରିଥିଲେ ଲକ୍ଷାଧିକ ଟଙ୍କା । ସଂସ୍ଥା ଏହିଭଳି ଭାବେ ଶହେରୁ ଅଧିକ ଲୋକଙ୍କଠାରୁ ୨ କୋଟି ଟଙ୍କା ନେଇଥିଲା । ହେଲେ ଲୋକଙ୍କ ସ୍ୱପ୍ନ ପୂରଣ କରିନଥିଲେ । ଖାଲି ଏତିକି ନୁହେଁ ସଂସ୍ଥା କାର୍ଯ୍ୟାଳୟରେ ତାଲା ଝୁଲାଇ କର୍ମକର୍ତ୍ତା ଚମ୍ପଟ ମାରିଛନ୍ତି ।