ମଧ୍ୟପ୍ରଦେଶ (ଏଟିଆର ବ୍ୟୁରୋ): ଟ୍ୱିଟରରୁ ବନ୍ଧୁତା । ବନ୍ଧୁତାରୁ ପ୍ରେମ । ପୁଣି ପ୍ରେମରୁ ସାତ ଜନ୍ମର ସାଥୀ । ପ୍ରେମ ପାଇଁ କୌଣସି ବୟସ ସୀମା କିମ୍ବା ବନ୍ଧବାଡ ନଥାଏ । ବେଳ ଆସିଲେ ସାତ ଦରିଆ ମଧ୍ୟ ଡେଇଁବାକୁ ପଡିଥାଏ । ଏଭଳି ଏକ ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବର ହୋଇଥିବା ବେଳେ ଶ୍ରୀଲଙ୍କାର କନିଆଁ । ଆଜ୍ଞା ହଁ ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାର ବାସିନ୍ଦା ଗୋବିନ୍ଦ ମହେଶ୍ୱରୀ ଶ୍ରୀଲଙ୍କାର ନାଗରିକ ହଂସିନୀ ଏଦିରୀସିଂଘେଙ୍କୁ ତାଙ୍କ ସାତ ଜନ୍ମର ସାଥୀ କରିଛନ୍ତି । ଫେବ୍ରୁଆରୀ ୧୦ରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଟ୍ୱିଟ୍ୱର ଜରିଆରେ ୨୦୧୫ରେ ଗୋବିନ୍ଦ ଏବଂ ହଂସିନୀଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ମେସେଜ ଏବଂ ଭିଡିଓ କଲ ଜରିଆରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା ।
ଏହାପରେ ବର୍ଷ ୨୦୧୭ରେ ଦୁହେଁ ଦୁହିଁଙ୍କୁ ଦେଖିଥିଲେ । ତାପରେ ଦୁହିଁଙ୍କ ପ୍ରେମ ଧୀରେ ଧୀରେ ମଜବଚତ ହୋଇଥିଲା । ମାତ୍ର ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି ।
ଏହି ବାହାଘରକୁ ନେଇ ହଂସିନୀ କହିଛନ୍ତି କି, ‘ଏହା ଦୁଇଟି ଅଲଗା ଅଲଗା ସଂସ୍କୃତି, କିନ୍ତୁ ଏହାକୁ ଆମକୁ ମ୍ୟାନେଜ କରିବାକୁ ପଡିବ’ ।
ହଂସିନୀଙ୍କ ପିତାଙ୍କ କହିଛନ୍ତି କି, ମୋ ଝିଅ ହଂସିନୀ ପାଠ ପଢିବା ପାଇଁ ଭାରତ ଆସିଥଲା । କିନ୍ତୁ ଏହା ପୂର୍ବରୁ ହଂସିନୀଙ୍କର ଗୋବିନ୍ଦଙ୍କ ସହ ସୋସିଆଲ ମିଡିଆରେ ସମ୍ପର୍କ ଥିଲା । ମୁଁ ତାଙ୍କ ସମ୍ପର୍କକୁ ରାଜିନଥିଲି କାରଣ ମୁଁ ଗୋବିନ୍ଦଙ୍କୁ ଜାଣିନଥିଲି । ପରେ ଗୋବିନ୍ଦଙ୍କ ସହ ଶ୍ରୀଲଙ୍କାରେ ଦେଖା ହୋଇଥିଲା । ତାପରେ ଯାଇ ମୁଁ ବାହାଘର ପାଇଁ ରାଜି ହୋଇଥିଲି । ମୁଁ ଏହି ବାହାଘର ପାଇଁ ବହୁତ ଖୁସି ଅଛି, ମଧ୍ୟପ୍ରଦେଶର ଲୋକ ବହୁତ ସରଳ ଏବଂ ଶିଷ୍ଟ ।
ମିଡିଆ ରିପୋର୍ଟ ଅନୁଯାୟୀ ହଂସିନୀ ଏବଂ ଗୋବିନ୍ଦ ଦୁହେଁ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରନ୍ତି । ଏବେ ଗୋବିନ୍ଦ ଇଂଜିନିୟରିଂ ପାଠ ଶେଷ କରି ସାରିଛନ୍ତି କିନ୍ତୁ ହଂସିନୀଙ୍କ ଏମବିବିଏସ୍ ଜାରି ରହିଛି ।