ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସାମ୍ନାରେ ଖୋଲା ଯାଇଛି କାଉଣ୍ଟର । ଜମୁଛି ଲୋକଙ୍କ ଭିଡ଼ । ଟଙ୍କା ଡିପୋଜିଟ୍ ପରେ ସଙ୍ଗେ ସଙ୍ଗେ ମିଳୁଛି ସୁବିଧା । ଆମେ କୌଣସି ମେଡିକାଲ ବା’ ମଦ ଦୋକାନ କଥା କହୁନାହୁଁ । ବରଂ କହୁଛୁ ଦେହ ବ୍ୟବସାୟ କଥା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି ଖୁଲମଖୁଲ୍ଲା ଧନ୍ଦା ଚାଲିଛି ସତସଂଗବିହାର ସାମ୍ନା ରାସ୍ତା କଡ଼ରେ । ଏ କଥା ନୁହେଁ ଯେ, ପୁଲିସ ଏ ସମ୍ପର୍କରେ କିଛି ଜାଣିନାହିଁ ।
ବରଂ ଅଭିଯୋଗ ହୋଇଛି ଡିସିପି ଅଫିସଠୁ ମାତ୍ର ୪୦୦ମିଟର ଦୂରରେ ଥିବା ଏହି ଜାଗାକୁ ଦେଖି ନଦେଖିବାର ଅଭିନୟ କରୁଛି ସହିଦନଗର ଥାନା ପୁଲିିସ । ସେପଟେ ରାସ୍ତା କଡ଼ରେ ଏଭଳି କାରବାର ଯୋଗୁ ଏବେ ନାହିଁ ନଥିବା ସମସ୍ୟା ମୁଣ୍ଡ ଟେକିଛି । ଟ୍ରାଫିକ୍ ସମସ୍ୟାରୁ ନେଇ ମଦୁଆଙ୍କ ଭିତରେ ମାରପିଟ ଏଠି ହରଦମ ନଜରକୁ ଆସୁଛି । ତଥାପି ପୁଲିସ ଚୂପ ରହିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ରିପୋର୍ଟ ଅନୁସାରେ, ରେଡ ଲାଇଟ ଏରିଆ କହିଲେ ମାଳିସାହିକୁ ବୁଝାଏ । ଏବେ କିନ୍ତୁ ଏହାକୁ ଦ୍ୱୀତିୟ ମାଳିସାହିର ଆଖ୍ୟା ଦିଆଗଲାଣି । ପ୍ରଥମେ ଲୁଚାଛପା ଭାବେ ଚାଲିଥିବା ଏହି କୁତ୍ସିତ କାରବାର ଏବେ ଖୁଲମଖୁଲ୍ଲା ଚାଲୁଛି । ସବୁଠୁ ବଡ଼ କଥା ହେଉଛି ଉଦୁଉଦିଆ ଖରାବେଳେ ଏହି ବେପାର ଚାଲୁଥିବା ବେଳେ ସତେ ଯେମିତି ପୁଲିସକୁ ଏହା ଦେଖାଯାଉନି ।
କିଛିଦିନ ତଳେ ଏଭଳି ଧନ୍ଦା ଯୋଗୁ ଜଣେ ଯୁବକ ଲହୁଲୁହାଣ ହୋଇଥିଲେ । ଟଙ୍କା ନେଣଦେଣକୁ ନେଇ ଦେହଜୀବୀମାନେ ଜଣେ ଯୁବକଙ୍କୁ ଗଡାଇ ତଡାଇ ପିଟିଥିଲେ । ଫଳସ୍ୱରୂପ ପାଖାପାଖି ଘଣ୍ଟାଏ କାଳ ଜାତୀୟ ରାଜପଥ ଜାମ ରହିଥିଲା । ଯଦିଓ ପୁଲିସ ସେତେବେଳେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଏହି ଧନ୍ଦାରେ ରୋକ ଲଗାଇଥିଲା କିନ୍ତୁ ଏବେ ପୁଣି ଥରେ ଏହା ଆରମ୍ଭ ହୋଇଯାଇଛି । ତେଣୁ ଏହା ଉପରେ ବରିଷ୍ଠ ପୁଲିସ ଅଧିକାରୀ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।