କଟକ (ଏଟିଆର ବ୍ୟୁରୋ); ଚଳିତ ବର୍ଷ ସୟଦ ମୁଷ୍ଟାକ ଅଲ୍ଲି ଟ୍ରଫିରେ ଓଡିଶାର ହ୍ୟାଟ୍ରିକ ବିଜୟ ହୋଇଛି । ବୁଧବାର କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଆସାମକୁ ହରାଇବା ପରେ ଓଡିଶାର ତୃତୀୟ ବିଜୟ ହୋଇଛି । ଘରୋଇ ଦଳ ଆସାମକୁ ୭ୱିକେଟରେ ପରାଜୟ କରିଛି । ଓଡିଶା ଏହା ପୂର୍ବରୁ ମିଜୋରାମ ଏବଂ ଅରୁଣାଞ୍ଚଳ ପ୍ରଦେଶକୁ ପରାସ୍ତ କରିଥିଲା । ଏବେ ଓଡିଶାର ଏହି ହାଟ୍ରିକ ବିଜୟକୁ ବେଶ ପ୍ରଂଶସା କରିଛନ୍ତି ଓଡିଶା କ୍ରିକେଟ ପ୍ରେମୀ । ତେବେ ଆସନ୍ତା ୨ଟି ମ୍ୟାଚ ଓଡିଶା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଆଗାମୀ ମ୍ୟାଚରେ ଓଡିଶା ଶକ୍ତିଶାଳୀ ବେଙ୍ଗଲ ଏବଂ କର୍ଣ୍ଣାଟକକୁ ଭେଟିବ ।
ଆସାମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୯ଟି ୱିକଟେ ହରାଇ ୧୪୨ ରନ କରିଥିଲା । ଆସାମ ପକ୍ଷରୁ ଶିବଶଙ୍କର ରାୟ ସର୍ବାଧିକ ୪୭ ରନ କରିଛନ୍ତି । ଓଡିଶା ପକ୍ଷରୁ ପପୁ ରାୟ ୪ଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ଦୁଇ ଦଳରେ ଆଜି ରାୟ ଭଲ ପ୍ରଦର୍ଶନ କରିଥିବାରୁ ଆଜିର ଦିନଟି ରାୟଙ୍କ ସପକ୍ଷରେ ଯାଇଥିବା କ୍ରିକେଟ ପ୍ରେମୀମାନେ କଥା ହେଉଛନ୍ତି । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ,ବିପ୍ଳବ ସାମନ୍ତରାୟ,ଦେବୋବ୍ରତ ପ୍ରଧାନ ଏବଂ ପ୍ରୟାସ ସିଂହ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।
ଓଡିଶା ଆଗରେ ମାତ୍ର ୧୪୩ ରନର ବିଜୟ ଲକ୍ଷ ରହିଥିଲା । ଏହି ସ୍କୋରକୁ ଓଡିଶା ୧୬ ଓଭର ୫ଟି ବଲରେ ଜିତି ନେଇଥିଲା । ଓଡିଶା ପକ୍ଷରୁ ବିପ୍ଳବ ସାମନ୍ତରାୟ ୪୯ କରିଛନ୍ତି । ଓଡିଶା ମାତ୍ର ୩ଟି ୱିକେଟ ହରାଇ ଏହି ବିଜୟକୁ ହାସଲ କରିଛି । ଓଡିଶାର ସମସ୍ତ ବ୍ୟାଟ୍ସମ୍ୟାନ ମାନେ ଭଲ ଖେଳ ପ୍ରଦର୍ଶନ କରିଥିଲେ । ଫଳରେ ଓଡିଶା ସହଜ ବିଜୟ ହାସଲ କରିଥିଲା । ଆସନ୍ତା ଦୁଇଟି ଯାକ ମ୍ୟାଚ ଓଡିଶାରେ ହେଉଥିବାରୁ ଓଡିଶାର ପଲ୍ଲା ଭାରି ରହିବ ଏବଂ ଆଗାମୀ ପର୍ଯ୍ୟାୟ ପାଇଁ ଦଳ ଉନ୍ନିତ ହେବ ବୋଲି ଆଶା କରାଯାଇଛି ।