ନାଗପୁର (ଏଟିଆର ବ୍ୟୁରୋ); ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ମଙ୍ଗଳବାର ରୋମାଞ୍ଚକର ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆକୁ ଶେଷ ଓଭରରେ ୧୧ ରନ୍ ଦରକାର ଥିବା ବେଳେ ଶଙ୍କର ଏହା କରିବାକୁ ଦେଇ ନାହାନ୍ତି। ବିଜୟ ଶଙ୍କର ୫୦ତମ ଓଭର ବୋଲିଂ କରି ପ୍ରଥମ ବଲରେ ମାର୍କସ ଷ୍ଟୋଇନିସ୍ (୫୨ ରନ୍, ୬୫ ବଲ୍, ୪ ଚୌକା ଓ ୧ ଛକା)ଙ୍କୁ ଏଲବିଡବ୍ଲୁ ଆଉଟ୍ କରିଥିଲେ। ଫଳରେ ଅଷ୍ଟ୍ରେଲିଆର ବିଜୟ ଆଶା ଏକ ପ୍ରକାରର ମଉଳି ଯାଇଥିଲା। ପରବର୍ତ୍ତୀ ବଲରୁ ଆଦାମ୍ ଜାମ୍ପା ୨ ରନ୍ କରିଥିବା ବେଳେ ୪୯.୩ ଓଭରରେ ଅଷ୍ଟ୍ରେଲିଆ ସମସ୍ତ ଓ୍ଵିକେଟ ହରାଇ ୨୪୨ ରନ୍ କରିଛି। ଭାରତ ଦିନିକିଆରେ ୫୦୦ ତମ ବିଜୟ ହାସଲ ସହିତ ୫ମ୍ୟାଚ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି। ପୂର୍ବରୁ ଭାରତ ହାଇଦ୍ରାବାଦ୍ ଦିନିକିଆରେ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ପରାସ୍ତ କରିଥିଲା।
ନାଗପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଯାହାକୁ ଅଷ୍ଟ୍ରେଲିଆ ବୋଲର ମଧ୍ୟ ସଠିକ୍ ପ୍ରମାଣିତ କରିଥିଲେ । ଭାରତ ପ୍ରାରମ୍ଭିକ ବ୍ୟାଟିଂବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ କ୍ୟାପଟେନ କୋହଲିଙ୍କ ଧର୍ଯ୍ୟପୂର୍ଣ୍ଣ ଶତକ ଭାରତକୁ ୨୫୦ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲା ।
୨୫୧ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ପ୍ରଥମରୁ ଦୃଢ ବ୍ୟାଟିଂ କରିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟସମ୍ୟାନ ମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ଗୋଟିଏ ପଟେ ଷ୍ଟୋନିସ ଦମଦାର ବ୍ୟାଟିଂ କରିବା ସହ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟ କୌଣସି ଅଷ୍ଟ୍ରେଲୀୟ ଖେଳାଳି ତାଙ୍କୁ ସାଥ୍ ଦେଇନଥିଲେ । ଆଉ ଏହାସହ ଭ୍ରମଣକାରୀ ଦଳ ୨୪୨ ରନ କରିବା ସହ ବିଜୟଲକ୍ଷ୍ୟ ଠାରୁ ୯ ରନ ଦୂରରେ ରହିଯାଇଥିଲା । ଭାରତ ପକ୍ଷରୁ କୁଳଦୀପ ଯାଦବ ୩ଟି ଓ ବୁମରାହା ଏବଂ ବିଜୟ ଶଙ୍କର ୨ଟି ଲେଖାଏଁ ୱିକେଟ ନେଇ ଦଳକୁ ଦେଇଥିଲେ ଏକ ରୋମାଞ୍ଚକର ବିଜୟ । ଆଉ ଏହି ବିଜୟ ସହ ଭାରତ ଦିନିକିଆରେ ୫୦୦ ତମ ବିଜୟ ହାସଲ କରିଛି ।