ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଶେଷ ଦିନିକିଆରେ ଭାରତକୁ ୩୫ ରନରେ ହରାଇ ବଦଲା ନେଲା ଅଷ୍ଟ୍ରେଲିଆ । ବିଶ୍ୱକପ ପୂର୍ବରୁ ଘରୋଇ ମାଟିରେ ସିରିଜ ହାରିବା ଭାରତ ପାଇଁ ମହଙ୍ଗା ପଡିଛି । ଭାରତ ଅଷ୍ଟ୍ରେଲିଆ ଭ୍ରମଣରେ ଯାଇ ଘରୋଇ ଦଳକୁ କ୍ରିକେଟର ତିନୋଟି ଫର୍ମାଟରେ ହରାଇ ନୂଆ ରେକର୍ଡ କରିଥିଲା । ଏଣୁ ଭାରତ ଟୁରରେ ଆସି ଟି-୨୦ ଏବଂ ଦିନିକିଆ ସିରିଜ ହରାଇ ଭାରତଠାରୁ ବଦଲା ନେଇଛି ଅଷ୍ଟ୍ରେଲିଆ । ବିଶ୍ୱକପ ପୂର୍ବରୁ ଏହାଥିଲା ଶେଷ ଦିନିକିଆ ସିରିଜ । ଏଣୁ ଏହି ପରାଜୟ ଭାରତ ପାଇଁ ଅଶୁଭ ସଂଙ୍କେତ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ବ୍ୟାଟିଂ ଲାଇନରେ ଭାରତୀୟ ଦଳକୁ ସୁଧାର ଆଣିବାକୁ ପଡିବ ।
ଭାରତ ପ୍ରଥମ ଦୁଇଟି ଦିନିକିଆ ଜିତିଥିବା ବେଳେ ଶେଷ ତିନୋଟି ଯାକ ଦିନିକିଆ ଜିତି ସିରିଜ ହାତେଇଛି ଅଷ୍ଟ୍ରେଲିଆ । ଏହି ବିଜୟ କଙ୍ଗାରୁ ଦଳର ରେକର୍ଡ ବିଜୟ । ୨୦୧୫ରେ ଦକ୍ଷିଣ ଆଫ୍ରିକା ଠାରୁ ହାରିବା ପରେ ଭାରତ ଘରେ ମଧ୍ୟ ପ୍ରଥମ ଶୃଙ୍ଖଳା ପରାଜୟ ବରଣ କରିଛି। ଫିରୋଜଶାହା କୋଟଲାରେ ଆୟୋଜିତ ହୋଇଥିବା ଶେଷ ଦିନକିଆରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୭୨ ରନ କରିଥିଲା । ଦଳ ପକ୍ଷରୁ ଉସମାନ ଖାୱାଜା ଶତକୀୟ ପାଳି ଖେଳିଥିଲେ ।
୨୭୩ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭାରତ ଫିରୋଜ ଶାହା କୋଟ୍ଲା ପଡ଼ିଆରେ ପୂର୍ବ କମାଲ ଦେଖାଇବାରେ ଆରମ୍ଭରୁ ଅସମର୍ଥ ହୋଇଥିଲା। ଫଳରେ ନିର୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୩୭ ରନ୍ କରି ପାରିଥିଲା। ପଞ୍ଚମ ଓଭରରେ ଶିଖର ଧାୱନ (୧୨) ଓ ତ୍ରୟୋଦଶ ଓଭରରେ ଅଧିନାୟକ ବିରାଟ କୋହଲି (୨୦)ଙ୍କୁ ହରାଇବା ଝଟ୍କାରୁ ଭାରତ ଯେମିତି ଆଉ ମୁକୁଳି ପାରି ନଥିଲା। ଚତୁର୍ଥ ସ୍ଥାନରେ ଖେଳିବାର ସୁବର୍ଣ୍ଣ ସୁଯୋଗକୁ ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତ (୧୬) ବ୍ୟର୍ଥ ଯିବାକୁ ଦେଇଥିଲେ। ବିଜୟ ଶଙ୍କର (୧୬) ମଧ୍ୟ ବିଜୟ ଆଶା ଦେଇ ପାରି ନଥିଲେ। ଏକା ରୋହିତ ଶର୍ମା (୫୬) ଲଢ଼ିଥିଲେ। ହେଲେ କଙ୍ଗାରୁ ସ୍ପିନର ଆଦାମ ଜାମ୍ପା ଗୋଟିଏ ଓଭରରେ ତାଙ୍କୁ ଓ ରବୀନ୍ଦ୍ର ଜାଦେଜା (୦)ଙ୍କୁ ଆଉଟ୍ କରିବା ପରେ ଅଷ୍ଟ୍ରେଲିଆ ଐତିହାସିକ ଶୃଙ୍ଖଳା ବିଜୟର ବାସ୍ନା ବାରିଥିଲା। କେଦାର ଯାଦବ (୪୪) ଓ ଭୁବନେଶ୍ବର କୁମାର (୪୬) ସପ୍ତମ ୱିକେଟ୍ରେ ୯୧ ରନ୍ ଯୋଡ଼ିବା ହିଁ ଭାରତ ପାଇଁ ସମ୍ମାନରକ୍ଷାକାରୀ ଭାଗୀଦାରି ଥିଲା।