ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନ ତାରିଖ ଘୋଷଣା ହେବା ପରେ ନେତାମନେ ଦଳ ଅଦଳ ବଦଳ କରିବା ଆରମ୍ଭ କରି ଦେଇଛନ୍ତି । କିଏ ନିଜର ଭବିଷ୍ୟତ ପାଇଁ ଦଳ ଛାଡୁଛି ତ ଆଉ କାହାକୁ ଦଳର ସ୍ୱାର୍ଥ ପାଇଁ ବଳି ପଡିବାକୁ ପଡୁଛି । ତେବେ ଏଭଳି ଭାବରେ ନିୟମିତ ରାଜ୍ୟ ରାଜନୀତିରେ ଚାଲିଥିବା ଦେଖିବାକୁ ମିଳୁଛି । କିନ୍ତୁ ରାଜ୍ୟ ରାଜନୀତିର ଜଣେ ବେଶ ଚର୍ଚ୍ଚିତ ଚେହେରା ହେଉଛନ୍ତି ବିଜୟ ମହାପାତ୍ର । ଯିଏକି ଏବେ ଏକ ପ୍ରକାର ଚୁପ ବସିଲା ଭଳି ମନେ ହେଉଛି । ବିଜେପିକୁ ଜୋସରେ ବାଏ ବାଏ କହି ଆସିବା ପରେ ବିଜୟ କେଉଁ ଦଳରେ ଯୋଗ ଦେବେ ତାକୁ ନେଇ ଚର୍ଚ୍ଚା ହେଉଥିଲେ ସୁଦ୍ଧା ତାଙ୍କ ପକ୍ଷରୁ କିଛି ଗ୍ରୀନ ସିଗନାଲ ମିଳୁନଥିବା ଦେଖିବାକୁ ମିଳୁଛି ।
ତେବେ ଦିଲୀପଙ୍କ ପଛ ଧରି ଦୌଡୁଛନ୍ତି ବିଜୟ । ଦିଲୀପ ଯେଉଁ ଦଳରେ ଯୋଗ ଦେବେ ବିଜୟ ସେହି ଦଳକୁ ଆଖିବୁଜି ଡେଇଁ ପଡିବେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଦିଲୀପଙ୍କ ଗତି ଏବେ କେଉଁଆଡେ ହେବ ତାହା ସ୍ପଷ୍ଟ ହୋଇ ନାହିଁ । କେତେବେଳେ ଶୁଣିବାକୁ ମିଳୁଛି କି ସେ ବିଜେଡିରେ ଯୋଗ ଦେବେ ଆଉ କେତେବେଳେ ଶୁଣିବାକୁ ମିଳୁଛି କି ସେ ପୁଣିଥରେ ବିଜେପି ଶିବିରରେ ମଙ୍ଗ ଧରିବେ । ତେବେ ଦିଲୀପଙ୍କ ଲାଙ୍ଗୁଡ ଧରିଥିବା ବିଜୟ ଭାଗ୍ୟ ଅନ୍ଧାର ଆଡକୁ ଗତି କରୁଛି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଦିଲୀପଙ୍କ ସହ ବିଜେପିକୁ ବାଏ ବାଏ କରିଥିବା ବିଜୟ ବିଜେଡିରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ବିଜେଡି ପକ୍ଷରୁ ସେମିତି କିଛି ଗ୍ରୀନସିଗନାଲ ମିଳିନଥିଲା ଫଳରେ ଘରେ ମୁହଁ କାମୁଡି ପଡିଛନ୍ତି ବିଜୟ । କଂଗ୍ରେସକୁ ଯିବ ପାଇଁ ଅମଙ୍ଗ ଅଛନ୍ତି ବିଜୟ । କିନ୍ତୁ ମଝିରେ ବିଜୟ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହି ଚର୍ଚ୍ଚା ଚର୍ଚ୍ଚାରେ ହିଁ ରହିଯାଇଥିଲା । ଏବେ ସମସ୍ତେ ଦଳ ଅଦଳ ବଦଳ କରୁଥିବା ବେଳେ ଚୁପ ବସିଥିବା ବିଜୟଙ୍କ ଗତି କେଉଁଆଡେ ହେବ ତାକୁ ନେଇ ସବୁଛି ଆରମ୍ଭ ହୋଇଛି କଳ୍ପନା ଜଳ୍ପନା ।