ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ଆସନ୍ତା ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା କାଲି ( ମାର୍ଚ୍ଚ-୧୮) ଠାରୁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନକୁ ଯାଉଥିବା ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର (ସଂ), ବ୍ରହ୍ମପୁର ଓ କୋରପୁଟ (ସଂ) ଏହି ଚାରିଟି ଲୋକସଭା ଆସନ ସମେତ ଏହି ଚାରିଟି ଲୋକସଭା ଆସନ ଅଧୀନରେ ରହିଥିବା ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ଆସନ୍ତାକାଲିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି।
ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଘୋଷଣା ହୋଇପାରେ ପ୍ରାର୍ଥୀ ତାଲିକା । ସବୁ ଦଳରେ ମାଳ ମାଳ ଆଶାୟୀ ପ୍ରାର୍ଥୀମାନେ ରହିଥିବା ବେଳେ ଦଳୀୟ ଟିକେଟ ପାଇଁ ପାର୍ଟି ଅଫିସରେ ଲମ୍ବା ଲାଇନ ଲଗାଉଛନ୍ତି ଏଣୁ ଆଜି ରାତି ସୁଦ୍ଧା ଦଳୀୟ ହାଇକମାଣ୍ଡ ପ୍ରାର୍ଥୀଙ୍କ ତାଲିକା ଚୁଡାନ୍ତ କରିବା ପରେ ଆସନ୍ତା କାଲି ଘୋଷଣା କରିବେ ବୋଲି ଶୁଣିବାକୁ ମିଳିଛି । କଂଗ୍ରେସର ସ୍କିନିଂ କମିଟି ଦିଲ୍ଲୀରେ ବସିଥିବା ବେଳେ ବିଜେପିର ବରିଷ୍ଟ ନେତାମାନେ ମଧ୍ୟ ଦିଲ୍ଲୀ କାର୍ଯ୍ୟାଳୟରେ ଡେରା ପକାଇଛନ୍ତି । ଏଣୁ ଉଭୟଙ୍କ ଚୁଡାନ୍ତ ପ୍ରାର୍ଥୀ ତାଲିକା ଟଥାଶିଘ୍ର ଘୋଷଣା ହୋଇପାରେ ।
ଅପରପକ୍ଷରେ ଶାସକ ବିଜେଡି ଦଳର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ଦଳୀୟ ବରିଷ୍ଠ ନେତାମାନେ ସୂଚନା ଦେଇଛନ୍ତି। ଉଲ୍ଲେଖଯାଗ୍ୟ, ଏହି ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଏକାଧିକ ପ୍ରାର୍ଥୀ ଦାବିଦାର ରହିଥିଲେ। ଗତ ପ୍ରାୟ ଏକ ସପ୍ତାହ ଧରି ଦକ୍ଷିଣ ଓଡ଼ିଶାର ଏହି ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଦଳୀୟ ପ୍ରାର୍ଥୀ ହେବାକୁ ନେତାମାନେ ସେମାନଙ୍କ ସମର୍ଥକମାନଙ୍କୁ ଧରି ଲବି ଚଲାଇଥିଲେ। ତେବେ ସବୁୁ କଥା ବିଚାରକୁ ନେଇ ସବୁ ପକ୍ଷଙ୍କ ସହ ଆଲୋଚନା କରି ଅଧିକ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଚୂଡାନ୍ତ ଦଳୀୟ ପ୍ରାର୍ଥୀଭାବେ ବାଛିଥିବା ବିଶ୍ୱସ୍ତ ସୂତରୁ ଜଣାପଡ଼ିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଏହି ପ୍ରାର୍ଥୀ ତାଲିକା ଉପରେ ନବୀନ ତାଙ୍କର କସରତ ଜାରି ରଖିଛନ୍ତି।