ସମ୍ବଲପୁର (ଏଟିଆର ବ୍ୟୁରୋ): ହୋଲି ଖେଳ ହେଲା ଜୀବନର ଶେଷ ଖେଳ । ହୋଲି ଖେଳି ସାରି ନଦୀରେ ଗାଧୋଇବା ବେଳେ ବୁଡିଗଲେ ପରିବାରର ତିନି ଜଣ ସଦସ୍ୟ । ଏଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ଠେଲକୋଲେଇ ଥାନା ଖେରୁଆଲରେ ଘଟିଛି ।
ଘଟଣାରେ ମୃତ୍ୟୁ ବରଣ କରିଥିବା ସଦସ୍ୟ ହେଉଛନ୍ତି ପରିବାରର ମୁଖ୍ୟ ରାଜୁ ପାଶୱାନ୍ ତାଙ୍କ ପୁଅ ବାଦଲ ପାଶୱାନ୍ (୮) ଏବଂ ଝିଅ ଶୁଭା ପାଶୱାନ୍ (୭) ।
ଗତକାଲି ସାରା ରାଜ୍ୟ ହୋଲିର ରଙ୍ଗରେ ରଙ୍ଗେଇ ହୋଇଥିବା ବେଳେ ରାଜୁ ତାଙ୍କ ପରିବାର ସହ ମିଶି ହୋଲି ଖେଳୁଥିଲେ । ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା । ରାଜୁଙ୍କ ପାଇଁ ହୁଏତ ହୋଲି ଖେଳ ଜୀବନର ଶେଷ ଖେଳ ଥିଲା । ସମସ୍ତେ ଖୁସିର ସହ ରଙ୍ଗର ପର୍ବ ପାଳନ କରୁଥିଲେ ମାତ୍ର ରାଜୁଙ୍କ ପରିବାରକୁ କାଳ ବାଦଲ ମାଡି ଆସିଥିଲା । ରଙ୍ଗ ଖେଳ ସାରି ନଦୀରେ ଗାଧୋଇବା ରାଜୁଙ୍କ ପାଇଁ ଭାରିପଡିଥିଲା । ଏକାସଙ୍ଗରେ ନଦୀ ପାଣିରେ ବୁଡି ଯାଇଥିଲେ ବାପା, ପୁଅ ଏବଂ ଝିଅ ।
ରାଜୁ ତାଙ୍କ ପୁଅ ଏବଂ ଝିଅ ସହିତ ରଙ୍ଗ ଖେଳି ସାରିବା ପରେ ଖେରୁଆଲ ନଦୀକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ବେଳ ବୁଡି ଯାଇଥିଲା ସତ କିନ୍ତୁ ଘରୁକୁ ଫେରିନଥିଲେ ରାଜୁ ଏବଂ ତାଙ୍କ ପୁଅ ଓ ଝିଅ । ତା ପରେ ଘର ଲୋକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାରେ ତଦନ୍ତ କରିବାରୁ ଅଜି ସକାଳୁ ଅଗ୍ନିଶମ ବିଭାଗ କର୍ମି ନଦୀରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।