ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ପିଲାମାନଙ୍କ ଖେଳିବା ପାଇଁ ବ୍ୟାପକ ଖେଳ ପଡିଆ ନାହିଁ । ଅନ୍ୟପଟେ ବର୍ତ୍ତମାନ ଯୁଗ ସହ ତାଳ ଦେଇ ପିଲାମାନେ ପାରମ୍ପାରିକ ଖେଳ ଖେଳିବା ଅପେକ୍ଷା ଘରେ ରହି ମୋବାଇଲ, ଆଇଫୋନ, ଆଇପ୍ୟାଡ ଭଳି ଇଲୋଟ୍ରୋନିକ ସାମଗ୍ରୀରେ ନିଜକୁ ବାନ୍ଧି ରଖୁଛନ୍ତି । ହେଲେ ଏପରି ମଧ୍ୟ କିଛି ପିଲା ଅଛନ୍ତି ଯାହାଙ୍କ ପାଖରେ ଅତ୍ୟାଧୁନିକ ଜିନିଷ ନାହିଁ କି ଖେଳିବା ପାଇଁ ଖେଳପଡିଆଟିଏ ନାହିଁ । ତେବେ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଛୁଆ ଶ୍ରେଣୀର ପିଲାମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ।
ବସ୍ତିରେ ରହୁଥିବା ପିଲାଙ୍କୁ ସମସ୍ତ ପ୍ରକାରର ସୁବିଧା ପହଞ୍ଚାଇବା ସହ ସେମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ମାନ ତିଆରି କରିଥାନ୍ତି । ତେବେ ବର୍ତ୍ତମାନ ରାଜ୍ୟ ସରକାର ପଛୁଆ ଶ୍ରେଣୀର ପିଲା ବା ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଥିବା ପିଲାଙ୍କ ଶାରୀରିକ ବିକାଶ ପାଇଁ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ସ୍ୱତନ୍ତ୍ର ଖେଳପଡିଆ । ଏହି ଖେଳପଡିଆ ଗୁଡିକ ଉଭୟ ବିଡିଏ ଓ ବିଏମସିର ମିଳିତ ଉଦ୍ୟମରେ ନିର୍ମାଣ ହେବାକୁ ଯାଉଛି । ପଛୁଆ ଶ୍ରେଣୀର ପିଲାମାନେ ଯେପରି ଖେଳପଡିଆର ଅଭାବ ଅନୁଭବ ନକରିବେ ସେଥିପାଇଁ ଖୋଲିବାକୁ ଯାଉଛି ଏହି ସ୍ୱତନ୍ତ୍ର ଖେଳପଡିଆ ବା ପାର୍କ । ଏହି ପାର୍କର ନାମ ‘ରିୱାଇଂଡ ପ୍ଲେ’ । ଯେଉଁଠାରେ କି ଅନାବଶ୍ୟକ ଜିନିଷକୁ ବ୍ୟବହାର କରି ବିଭିନ୍ନ ଖେଳ ସାମଗ୍ରୀ ନିର୍ମାଣ କରାଯାଇଛି । ଏଠାରେ ବିଭିନ୍ନ କାର, ଟ୍ରକ, ବସ, ଟ୍ରାକଟର ଟାୟାରକୁ ବ୍ୟବହାର କରାଯାଇ ରଙ୍ଗ ବେରଙ୍ଗର ଖେଳ ସାମଗ୍ରୀ ନିର୍ମାଣ କରାଯାଇଛି ।
ଏହି ଖେଳପଡିଆ ବା ପାର୍କ ନିର୍ମାଣ ପଛରେ ପିଲାମାନଙ୍କୁ ଖୋଲାସ୍ଥାନରେ ଖେଳିବାକୁ ସୁଯୋଗ ଦେବା ସେମାନଙ୍କର ଶାରିରୀକ ବିକାଶ କରିବା ମୁଖ୍ୟଲକ୍ଷ ରହିଛି । ବାଙ୍ଗାଲୋର ସ୍ୱେଚ୍ଚା ସେବୀ ସଙ୍ଗଠନ ଆନଥିଲ କ୍ରିଏସନ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବ । ଏହି ଖେଳ ପଡିଆଟି ସହରରେ ୫ଟି ସ୍ଥାନରେ ଖୋଲିବାକୁ ଯାଉଛି ଯେଉଁଥିରେ ୩ଟି ସରକାରୀ ବିଦ୍ୟାଳୟ ରହିଛି । ସେହିସବୁ ସ୍ଥାନ ଗୁଡିକ ହେଲା ଏକାମ୍ର ବିହାର ପ୍ରାଥମିକ ବିଦ୍ୟାଳୟ, ସାଲିଆସାହି । ବାପୁଜି ନଗର ୟୁଜିୟୁପି ବିଦ୍ୟାଳୟ, ଏଫସିଆଇ କଲୋନୀ ଶାନ୍ତି ନଗର ବସ୍ତି, ସାଲିଆ ସାହି ବିର୍ସା ମୁଣ୍ଡା ପଡିଆ । ଏହିସବୁ ଖେଳପଡିଆ ନିର୍ମାଣ ଫଳରେ ପାଖାପାଖି ୮୦୦ପିଲା ଉପକୃତ ହେବେ ବୋଲି ସୂଚନା ମିଳିଛି ।