ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ଦ୍ୱିତୀୟ ସର୍ବବୃହତ ସରକାରୀ ବ୍ୟାଙ୍କରେ ପରିଣତ ହୋଇଛି ବ୍ୟାଙ୍କ ଅଫ୍ ବରୋଦା । ଏହା କେବଳ ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କ ମିଶିବା ଦ୍ୱାରା ସମ୍ଭବ ହୋଇପାରିଛି । ଏହାପୂର୍ବରୁ ଏସବିଆଇରେ ତାଙ୍କ ସହଯୋଗୀ ବ୍ୟାଙ୍କ ଏବଂ ଭାରତୀୟ ମହିଳା ବ୍ୟାଙ୍କକୁ ମର୍ଜ କରି ଦିଆଯାଇଥିଲା ।
ମର୍ଜ ହେବା ପରେ ସାରା ଦେଶରେ ବ୍ୟାଙ୍କ ଅଫ୍ ବରୋଦାର ୯,୫୦୦ ଶାଖା,୧୩,୪୦୦ ଏଟିଏମ୍ ଏବଂ ୮୫ ହଜାରରୁ ଅଧିକ କର୍ମଚାରୀ ରହିବେ । ବ୍ୟାଙ୍କ ପକ୍ଷରୁ ଏବେ ୧୨ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇ ଦିଆଯିବ । ମର୍ଜ ପରେ ୧୫ ଲକ୍ଷ ଟଙ୍କାର ବାଲାନ୍ସ ସିଟ୍ ସହିତ ବ୍ୟାଙ୍କ କାମ କରିବା ଆରମ୍ଭ କରି ସାରିଲାଣି । ବ୍ୟାଙ୍କ ପାଖରେ ହାରାହାରି ୮.୭୫ ଲକ୍ଷ କୋଟି ଟଙ୍କା ଜମା ଅଛି, ସେଥିରୁ ୬.୨୫ ଲକ୍ଷ କୋଟି ଟଙ୍କାର ଋଣ ବିତରଣ କରାଯାଇଛି ।
ମର୍ଜ ଯୋଜନା ମୁତାବକ, ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ସେୟାରଧାରକଙ୍କୁ ନୂତନ ବ୍ୟାଙ୍କରେ ସେୟାର ଆବଣ୍ଟ କରାଯାଇ ସାରିଛି । ବିଜୟ ବ୍ୟାଙ୍କକୁ ପ୍ରତ୍ୟେକ ୧୦୦୦ ଶେୟାର ବଦଳରେ ବ୍ୟାଙ୍କ ଅଫ୍ ବରୋଦାର ୪୦୨ ସେୟାର ଏବଂ ଦେନା ବ୍ୟାଙ୍କର ୧୧୦ ସେୟାର ମିଳିଛି ।
ସେୟାର ବଜାରର ସୂଚନା ଅନୁଯାୟୀ, ବ୍ୟାଙ୍କ ଅଫ୍ ବରୋଦା ସୋମବାର ଏହି ସେୟାର ଗୁଡିକୁ ଆବଣ୍ଟନ କରିଦେଇଛି । ଏବେ ବ୍ୟାଙ୍କ ପାଖରେ ଗୁଜୁରାଟରେ ୨୨ ପ୍ରତିଶତ,ମହାରାଷ୍ଟ୍ର, କର୍ଣ୍ଣାଟକ,ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ୮ ରୁ ୧୦ ପ୍ରତିଶତ ବଜାର ସେୟାର ରହିଛି ।