ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ରହିଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଦେଶର ନୂତନ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ (ସିଏଜି) ପଦରେ ନିଯୁକ୍ତି କରାଯାଇଛି । ଆସନ୍ତାକାଲି ମାନେ ଶନିବାର ସିଏଜି ପଦରେ ଶପଥ ଗ୍ରହଣ କରିବେ ମୁର୍ମୁ । ରାଜୀବ ମହର୍ଷିଙ୍କ ସ୍ଥାନରେ ରହିବେ ମୁର୍ମୁ । ଆଗାମୀ ସପ୍ତାହରେ ସେବାନିବୃତ ହେବେ ରାଜୀବ ମହର୍ଷି । ବର୍ଷ ୨୦୧୭ ମସିହାରେ ସିଏଜି ପଦରେ ନିଯୁକ୍ତି ହୋଇଥିଲେ ମହର୍ଷି । ତିନି ବର୍ଷ ପାଇଁ ତାଙ୍କୁ କାର୍ଯ୍ୟକାଳ ରହିଥିଲା ।
ଅନ୍ୟପଟେ ଗିରିଷ ମୁର୍ମୁ ଜମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱୀକାର କରିଥିଲେ । ୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡରର ଆଇଏଏସ ଅଫିସର ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭରସାଯୋଗ୍ୟ ଅଫିସରଙ୍କ ଭିତରୁ ଜଣେ ।