ଭୁବନେଶ୍ୱର,(ଏଟିଆର ଏକ୍ସକ୍ଲ୍ୟୁସିଭ): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଲିସକୁ ମିଳିଛି ସାମାନ୍ୟ ସଫଳତା । ଧରାପଡିଛି ଅଘଟଣ ପଛର ମୋଟିଭ । ଏକ ତରଫା ପ୍ରେମ ହିଁ ଏହାର ମୂଳ କାରଣ ବୋଲି ଏବେ ପୁଲିସ ଜାଣିବାକୁ ପାଇଛି । କେବଳ ଏତିକି ନୁହେଁ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଜଣେ ଯୁବତୀ ଏହି ଅଘଟଣ ଘଟାଇଥିବା କଥା ଜଣାପଡିଛି । କିନ୍ତୁ ଖଳନାୟକ କିଏ ତାହା ଜଣାପଡିନାହିଁ ।
ଏପରିସ୍ଥଳେ ମୃତ ଶେଖରଙ୍କ ବାପା ଏକ ବିଷ୍ଫାରକ ବୟାନ ଦେଇଛନ୍ତି । ଯାହା ପୁଲିସର ତଦନ୍ତକୁ ଆହୁରି ସରଳ କରିଦେଇଛି । ଶେଖରଙ୍କୁ ନିର୍ବନ୍ଧ ପରେ ହତ୍ୟା ଧମକ ଦିଆଯାଇଥିଲା । ଯଦିଓ ଶେଖର ଏହାକୁ ଗୁରୁତ୍ୱ ଦେଇନଥିଲେ କିନ୍ତୁ ଘଟଣା ସମ୍ପର୍କରେ ସେ ତାଙ୍କ ବନ୍ଧୁ ପପୁଙ୍କୁ ଜଣାଇଥିଲେ । ପପୁଙ୍କୁ ଏ ବାବଦରେ ପୁଲିସ ପଚରାଉଚରା କରି କିଛି ତଥ୍ୟା ହାସଲ କରିଛି ପୁଲିସ । ଶେଖରଙ୍କ ବାପାଙ୍କ କହିବାନୁସାରେ, ରୀମାଙ୍କୁ ବାହାହେଲେ ପରିସ୍ଥିତି ଖରାପ ହେବ ବୋଲି ଫୋନରେ ଧମକ ଦିଆଯାଇଥିଲା ବୋଲି ପୁଲିସକୁ ଜଣାଇଛନ୍ତି । ଏହି ସୂଚନା ପାଇବା ପରେ ପୁଲିସ ଏବେ ପୁଣି ଥରେ ଶେଖରଙ୍କ ପୁରୁଣା ଫୋନ କଲ ରେକର୍ଡକୁ ଯାଁଚ କରିବା ଆରମ୍ଭ କରିଛି ।
ସବୁଠୁ ବଡ଼କଥା ହେଉଛି ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ଯାଇ ମଧ୍ୟ ପୁଲିସର ଟିମ ଛାନଭିନ ଚଳାଇଛି । କାରଣ ଶେଖର ଯେଉଁ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ୁଥିଲେ ସେଠାରୁ ହିଁ ଏହି ସନ୍ଦିଗ୍ଧ ଯୁବତୀଙ୍କ ପରିଚୟ ମିଳିପାରିବ ବୋଲି ପୁଲିସ ଆଶାବାଦୀ ଅଛି । ତେବେ ଶେଖରଙ୍କ ବାପାଙ୍କ ବୟାନ ମଧ୍ୟ ଆଉ ଏକ ଘଟଣା ସାମ୍ନାକୁ ଆଣିଛି । ନିର୍ବନ୍ଧ ପୂର୍ବରୁ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଯୁବତୀ ତାଙ୍କୁ ବିବାହ କରିବାକୁ ଜିଦ ଧରିଥିଲେ । ଯାହାକୁ ନେଇ ମଝିରେ ବିବାଦ ଉପୁଜିଥିଲା । ଏହାକୁ ନେଇ ବହୁତ ଚିନ୍ତାରେ ଥିଲେ ଶେଖର । ତେବେ ଏହାପରେ ରୀମାଙ୍କ ସହ ଶେଖରଙ୍କ ନିର୍ବନ୍ଧ ହୋଇଥିଲେ ବି ମାନସିକ ଚିନ୍ତାରେ ଥିଲେ ଶେଖର । ଏଥିପାଇଁ ବୋଧେ ସୋସିଆଲ ମିଡିଆରୁ ଦୂରେଇବା ଲାଗି ଫେସବୁକ ଡିଲିଟ କରିଥିବା ପୁଲିସ ସନ୍ଦେହ କରୁଛି ।
କେବଳ ଏତିକି ନୁହେଁ ରୀମାଙ୍କୁ ବାହାହେଲେ ପରିସ୍ଥିତି ସାଙ୍ଘାତିକ ହେବ ବୋଲି ଧମକ ଦେଇଥିବା ବ୍ୟକ୍ତି ହିଁ ଆଖପାଖର ବୋଲି ପୁଲିସ ଅନୁମାନ କରୁଛି । ସେପଟେ ଖୁବଶୀଘ୍ର ସନ୍ଦିଗ୍ଧ ଯୁବତୀଙ୍କ ପାଖରେ ପହଁଚିବାର ସମ୍ଭାବନା ରହିଥିବା ଜଣେ ବରିଷ୍ଠ ଅଧିକାରୀ ଜଣାଇଛନ୍ତି । ତେବେ ଯାହାହେଉ ଏତେବଡ଼ ଅଘଟଣ ପଛରେ ଏହି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଯୁବତୀଙ୍କ ଜିଦ ଓ ଘୃଣା ହିଁ କାରଣ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି ।
ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସ୍କାନରରେ ରୀମାଙ୍କ ବନ୍ଧୁ, ଶେଖରଙ୍କ ଲ୍ୟାପଟପ ଯାଞ୍ଚ