ଭଦ୍ରକ (ଏଟିଆର ବ୍ୟୁରୋ); ଭଦ୍ରକରେ ଚାଲିଛି ମଦ ବିଭିଷିକା । ଜଣକ ପରେ ଜଣେ ବିଷାକ୍ତ ମଦ ପିଇ ମୃତ୍ୟୁ ମୁହଁରେ ପଡିଛନ୍ତି । ଦୁଇ ଦିନରେ ମୃତ୍ୟୁ ସଂଖ୍ୟା ୮କୁ ଛୁଇଁଛି । ଆହୁରି ୮୭ ଜଣଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଛି । ଭଦ୍ରକ ଜିଲ୍ଲା ଡିଡିଡି ବ୍ଳକରେ ପୀରହାଟ ଗାଁର ଅଧିକାଂଶ ଲୋକ ଏବେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ତିହିଡ଼ସ୍ଥିତ ହସ୍ପିଟାଲରେ ୮୭ ଜଣଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟପଟରେ ଜିଲ୍ଲା ହସ୍ପିଟାଲରେ ଆବଶ୍ୟକ ପରିମାଣରେ କର୍ମଚାରୀ ନଥିବାରୁ ଚିକିତ୍ସା ସେବା ପ୍ରଭାବିତ ହେଉଥିବା ଆଲୋଚନା ହେଉଛି। ଇତି ମଧ୍ୟରେ ଆଜି ଅବକାରୀ କମିଶନର ରାମ ଚନ୍ଦ୍ର ପାଲଟା ଘଟଣାର ତଦନ୍ତ ପାଇଁ ପୀରହାଟ ଗାଁକୁ ଯାଇ ଲୋକଙ୍କର ସହିତ କଥାବାର୍ତ୍ତା କରିଛନ୍ତି।
ଜଣକ ପରେ ଜଣେ ମରିବା ପରେ ସ୍ଥାନୀୟ ଲୋକ ଗତକାଲି ରାସ୍ତା ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତି ପୂରଣ ଦାବି କରିଛନ୍ତି । ସ୍ଥାନୀୟ ଲୋକ ଏହି ମୃତ୍ୟୁ ଘଟଣାରେ ରାଜନେତାଙ୍କୁ ଦାୟି କରିଛନ୍ତି । ଏହି ଘଟଣାରେ ଜଡିତ ଥିବା ରାଜନେତାଙ୍କୁ ଗିରଫ କରିବା ପାଇଁ ମଧ୍ୟ ଦାବି କରିଛନ୍ତି । ତେବେ ଏହି ଘଟଣାକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି କାଦୁଅ ଫିଙ୍ଗାଫିଙ୍ଗି । ସବୁ ଦଳ ବିରୋଧୀଙ୍କ ଉପରେ ଦୋଷ ଦେବା ଆରମ୍ଭ କରି ଦେଇଛନ୍ତି । କଂଗ୍ରେସ ମୁଖ୍ୟତଃ ଦୁଇ ବିରୋଧୀଙ୍କୁ ଟାର୍ଗେଟ କରିଛି ।