ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବାତ୍ୟା ଫୋନିରେ ଓଡିଶାରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସଂହପୁରରେ ବିଦ୍ୟୁତ ସେବା ପୁରା ଠପ ହୋଇଯାଇଥିଲା । ଯାହାର ପୁନଃଉଦ୍ଧାର ପାଇଁ ବିଦ୍ୟୁତ ବିଭାଗ କର୍ମଚାରୀ ପୁରା ଦିନରାତି ଏକ କରିଦେଇଛନ୍ତି । କମ ସମୟ ମଧ୍ୟରେ କିଭଳି ସବୁ ଅଞଳକୁ ବିଦ୍ୟୁତ ଚାର୍ଜ ଦିଆଯାଇ ପାରିବ ସେ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି
। ଓଡିଶାର ଏହି ବିପଦ ସମୟରେ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ମଧ୍ୟ ଓଡିଶାକୁ ସହଯୋଗର ହାତ ବଢାଇଛନ୍ତି । ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ୩୦୦୦ ବିଦ୍ୟୁତ କର୍ମଚାରୀ ବିଦ୍ୟୁତ ସେବାକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟରେ ଲାଗିପଡିଛନ୍ତି । ରାଜ୍ୟ ସରକାରଙ୍କ ୨୦୦୦ ରୁ ଅଧିକ ଲୋକ କର୍ମଚାରୀ କାମରେ ଲାଗିଥିବା ବେଳେ ପଡୋଶୀ ୩ ରାଜ୍ୟରୁ ୩୦୦୦ କର୍ମଚାରୀ ମଧ୍ୟ ଏହି କାମରେ ଲାଗିଛନ୍ତି । ଓଡ୍ରାଫ ଓ ଏନଡିଆରଏଫ ଟିମ , ଫାୟାର ମଧ୍ୟ ଦିନରାତି ଏକ କରି ସ୍ଥିତି ସ୍ୱାଭାବିକ କରିବା ପାଇଁ ଲାଗି ପଡିଛନ୍ତି ।
ସେହିଭଳି ସମାଜିକ ଗଣମାଧ୍ୟମରେ ମଧ୍ୟ ଲୋକମାନେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ କାର୍ଯ୍ୟ ଶୈଳିକୁ ବେଶ ତାରିଫ କରୁଛନ୍ତି । ଏ ଡହଡହ ୪୦ ଡିଗ୍ରୀ ଖରାକୁ ଖାତିର ନ କରି ସେମାନେ ଲୋକ ମାନଙ୍କୁ ସେବା ଯୋଗାଇ ଦେବା ପାଇଁ ଖୁଣ୍ଟରେ ଚଢି କାମ କରୁଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳ ମାନଙ୍କରେ ବିଦ୍ୟୁତ ସରବରାହକୁ ସ୍ୱାଭାବିକ କରିବା ପାଇଁ ଏମାନେ ଯୁଦ୍ଧ ଭିତ୍ତିରେ କାମକୁ ତ୍ୱରାନ୍ୱିତ କରୁଛନ୍ତି । ବିଦ୍ୟୁତ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ଯାଗାରେ କାମ କରୁଥିବା କର୍ମଚାରୀଙ୍କ ଫଟୋକୁ ଫେସବୁକରେ ସେୟାର କରି ଲୋକମାନେ ବେଶ ପ୍ରଶଂଶା କରୁଛନ୍ତି ।