ନୂଆଦିଲ୍ଲୀ ( ଏଟିଆର ବ୍ୟୁରେ) : ଗତ ୨୦୧୪ ଓ ୨୦୧୯ ରେ ଦେଶରେ କଂଗ୍ରେସର ଶୋଚନୀୟ ପରାଜୟ ନେଇ ଆଜି ଦିଲ୍ଲୀରେ କାର୍ଯ୍ୟକାରିଣୀ ବୈଠକ ବସିବ । କେଉଁ କାରଣରୁ କଂଗ୍ରେସର ବିଲୋପ ହେଉଛି ସେ ନେଇ କରାଯିବ ଆଲୋଚନା । ଦଳ ବିଧାନସଭାରେ କରିଥିଲେ ମଧ୍ୟ ଲୋକସଭାରେ କାହିଁକି ବିଜେପି ଠାରୁ ପଛରେ ପଡିଯାଇଛି ଖୋଜାଯିବ ତାର କାରଣ । ସୂଚନାଯୋଗ୍ୟ କଂଗ୍ରେସ ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଥାଇ ସୁଦ୍ଧା କଂଗ୍ରେସ ସେହି ସବୁ ରାଜ୍ୟରେ ଲୋକସଭା କ୍ଷେତ୍ରରେ ନିରାଶ କରିଛି ।
ଯାହା ଦଳ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କର୍ଣ୍ଣାଟକରେ କଂଗ୍ରେସର ସରକାର ଥିଲେ ସୁଦ୍ଧା ଏଠାରେ ୨ ୮ ଟିରୁ ମାତ୍ର ଗୋଟିଏ ଲୋକସଭା ଆସନ କଂଗ୍ରେସ ଖାତାକୁ ଯାଇଛି । ସେହିଭଳି ଉତ୍ତର ପ୍ରଦେଶରେ ମଧ୍ୟ କଂଗ୍ରେସକୁ ଧରାଶାୟୀ କରିଛି ବିଜେପି । କଂଗ୍ରେସର ପାରମ୍ପାରିକ ଆସନ ଆମେଥିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କୁ ସ୍ମୃତି ଇରାନିଙ୍କ ଠାରୁ ପରାଜିତ ହେବାକୁ ପଡିଛି ।
କଂଗ୍ରେସ ପାଇଁ ସବୁଠାରୁ ପରିତାପର ବିଷୟ ପାଲଟିଛି ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ, ଦାଦ୍ରା ନଗର ହାବେଳି, ଡାମନ ଡିଉ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁକଶ୍ମୀର, ଲାକ୍ଷାଦୀପ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ଦିଲ୍ଲୀ, ରାଜସ୍ଥାନ, ସିକିମ୍, ତ୍ରିପୁରା ଓ ଉତ୍ତରାଖଣ୍ଡରେ କଂଗ୍ରେସ ଲୋକସଭାରେ ଖାତା ଖୋଲିପାରିନି । ସୂଚନା ଅନୁସାରେ ଦଳର ଖରାପ ପ୍ରଦର୍ଶନ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ନିଜ ପଦରୁ ଇସ୍ତପା ଦେଇ ପାରନ୍ତି ।