ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଷୋଡଶ ବିଧାନସଭାର ବାଚସ୍ପତି ଭାବରେ ନିର୍ବାଚିତ ହେଲେ ବରିଷ୍ଟ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର । ମୁଖ୍ୟମନ୍ତ୍ରୀ ତାଙ୍କ ନାମ ପ୍ରଥମେ ସୁପାରିଶ କରିଥିଲେ । ଏହାପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସମର୍ଥନ କରିବା ପରେ ବାଚନିକ ଭୋଟରେ ତାଙ୍କୁ ବାଚସ୍ପତି ଭାନେ ନିର୍ବାଚିତ କରାଯାଇଛି । ତେବେ ଏହି ବାଚସ୍ପତି ନିର୍ବାଚନ ବେଳେ ବିଜେପି ବିଧାୟକମାନେ ଉପସ୍ଥିତ ନଥିଲେ ।
ସୂର୍ଯ୍ୟନାରାୟଣ ପାତ୍ର ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା । ସେ ଦିଗପହଣ୍ଡି ଆସନରୁ ତିନିଥର ବିଜୟ ହୋଇ ହ୍ୟାଟ୍ରିକ ମାରିଛନ୍ତି । ତେବେ ଏହା ପୂର୍ବରୁ ସେ ମୋହନା ନିର୍ବାଚନ ମଣ୍ଡଳୀରୁ ୪ଥର ବିଜୟ ହୋଇଛନ୍ତି । ସେ ୭ଥର ବିଧାୟକ ଭାବରେ ବିଧାନସଭାକୁ ଯାଇଥିବା ବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ଦଳରେ ସୂର୍ଯ୍ୟଙ୍କ ଦବଦବା ମଧ୍ୟ ରହିଥିଲା । ସେ ୧୯୭୭ ମସିହାରେ ବ୍ରହ୍ମପୁର ମୁନିସିପାଲିଟିର କାଉନସିଲର ଭାବରେ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ ।
ଚଳିତ ବର୍ଷ ସୂର୍ଯ୍ୟ ଦିଗପହଣ୍ଡି ଆସନରେ ନିକଟତମ ପ୍ରତିଦ୍ୱନ୍ଦୀ ପିଙ୍କି ପ୍ରଧାନଙ୍କୁ ହରାଇଛନ୍ତି । ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ଏଠାରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ସୂର୍ଯ୍ୟଙ୍କ ଲୋକ ପ୍ରିୟତା ଆଗରେ ଫିକା ପଡିଥିଲେ ପିଙ୍କି । ସୂଚନାଯୋଗ୍ୟ,ଓଡିଶା ବିଧାନସଭା ଇତିହାସରେ ନନ୍ଦକିଶୋର ମିଶ୍ର ଓ ପ୍ରଦୀପ କୁମାର ଅମାତ ୭ବର୍ଷ ଓ ପ୍ରଶନ୍ନ କୁମାର ଦାଶ ୬ ବର୍ଷ ଲେଖାଏଁ ବାଚସ୍ପତି କାର୍ଯ୍ୟ କରିଛନ୍ତି ।