କୋଲକତା ( ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗରେ ସରକାରୀ ଡାକ୍ତରଙ୍କ ଆନ୍ଦୋଳନ ଦିନକୁ ଦିନ ତେଜିବାରେ ଲାଗିଛି । କୋଲକତା ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ ଡାକ୍ତରମାନେ ନିଜ ନିଜ କାର୍ଯ୍ୟରୁ ଇସ୍ତଫା ଦେବାକୁ ଧମକ ଦେବାକୁ କହିଛନ୍ତି । ଡାକ୍ତରମାନଙ୍କ ଆନ୍ଦୋଳନ ଆଜି ପଞ୍ଚମ ଦିନରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିୀ ଡାକ୍ତରମାନଙ୍କୁ ଦେଇଥିବା ଚେତାବନୀର ବି କୌଣସି ପ୍ରଭାବ ପଡିନାହିଁ ।
ଏହି ଅବସରରେ ୬୪୨ ଡାକ୍ତର ନିଜ କାର୍ଯ୍ୟରୁ ଇସ୍ତପା ଦେବେ ବୋଲି ଡାକ୍ତରଖାନା କତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ସେମାନଙ୍କ ମଧ୍ୟରେ ଡାକ୍ତର, ପ୍ରଫେସର, ଆସୋସିଏଟ ପ୍ରଫେସର , ଆସିଷ୍ଟାଣ୍ଟ ପ୍ରଫେସର ପ୍ରମୁଖ ସାମିଲ ହୋଇଛନ୍ତି । ଯାହାଫଳରେ ଚିକିତ୍ସା କ୍ଷେତ୍ରରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦି ଆମେ ହାୱଡା ଜିଲ୍ଲା ଚିକିତ୍ସାକେନ୍ଦ୍ର କଥା କହିବା ଏଠାରେ ବର୍ତ୍ତମାନ କେବଳ ଜଣେ ମାତ୍ର ସିନିୟର ଡାକ୍ତର କାମ ଚଳାଉଛନ୍ତି ।
ରାଜ୍ୟରେ ଏବେ ସମସ୍ତ ଡାକ୍ତରଖାନାରେ ଓପିଡି ବନ୍ଦ ରଖାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତର ମାନଙ୍କ ସହିତ ଆଲୋଚନା କରିବାକୁ ମନା କରିବା ପରେ ଡାକ୍ତରମାନେ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିଛନ୍ତି । ତେବେ ମମତା ଡାକ୍ତରମାନଙ୍କ ଆନ୍ଦୋଳନକୁ ନେଇ ବିଜେପିକୁ ଦାୟୀ କରିଛନ୍ତି । ଏଥିରେ ବିଜେପିର ପ୍ରଚ୍ଛଦ ଭୂମିକା ରହିଛି ବୋଲି ସେ ପୂର୍ବରୁ ନିଜ ପ୍ରତିକ୍ରିୟାରେ କହିଥିଲେ । ସୂଚନାଯୋଗ୍ୟ ଗତ ଲୋକସଭା ନିର୍ବାଚନ ବେଳୁ ରାଜ୍ୟରେ ବିଜେପି ଓ ଟିଏମସି ମଧ୍ୟରେ ତୁତୁ ମେମେ ଲାଗି ରହିଛି ।