ହାଇଦ୍ରାବାଦ ( ଏଟିଆର ବ୍ୟୁରୋ): ହାଇଦ୍ରାବାଦର ଏକ ଡ୍ୟାନସବାରରେ ଡ୍ୟାନ୍ସ ଚାଲୁଥିବା ବେଳେ ଜଣେ ମହିଳା ଡ୍ୟାନସର ଗ୍ରାହକଙ୍କ ସହିତ ଖରାପ ସମ୍ପର୍କ ରଖିବାକୁ ମନା କରିବାରୁ ତାଙ୍କୁ ବିବସ୍ତ୍ର କରି ମାଡ ମରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ମହିଳା ଡ୍ୟାନସର ମାନେ ବାରରେ ନାଚୁଥିବା ବେଳେ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଛି ।
ସୂଚନା ଅନୁସାରେ ହାଇଦ୍ରାବାଦର ଏକ ଡ୍ୟାନସ ବାରରେ ଡ୍ୟାନସ ଚାଲୁଥିବା ବେଳେ ଜଣେ ଗ୍ରାହକ ଚାହିଁଥିଲା ମହିଳା ନର୍ତ୍ତକୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ । ମାତ୍ର ମହିଳା ଜଣଙ୍କ ସେକ୍ସ କରିବାକୁ ମନା କରିବାରୁ ସେଠାରେ ନାଚୁଥିବା ଅନ୍ୟ ୪ ଜଣ ମହିଳା ଡ୍ୟାନସର ଓ ପୁରୁଷ ଗ୍ରାହକ ଉଲଗ୍ନ କରି ମାଡ ମାରିଥିବା ପୀଡିତା ଥାନାରେ ଅଭିଯୋଗ କରିଛନ୍ତି । ପଞ୍ଜଗୁଟା ଥାନାରେ ଏନେଇ ଅଭିଯୋଗ ହେଲା ପରେ ପୁଲିସ ୪ ଜଣ ମହିଳାଙ୍କୁ ଅଟକ ରଖିଥିବା ବେଳେ ଫେରାର ହୋଇଯାଇଥିବା ଯୁବକଙ୍କୁ ଖୋଜୁଛି ।
ତେବେ ସବୁଠାରୁ ସାଂଘାତିକ କଥା ହେଲା ଖୋଦ ଉକ୍ତ ବାର ମ୍ୟାନେଜମେଣ୍ଟ ମହିଳା କର୍ମଚାରୀଙ୍କୁ ସବୁବେଳେ ବାଧ୍ୟ କରୁଥିଲା ଗ୍ରାହକଙ୍କ ସହିତ ଯୌନସଂପର୍କ ରଖିବାକୁ । ତେବେ ଗତକାଲି ମହିଳା ଡ୍ୟାନସର ଜଣଙ୍କ ମନା କରିବାରୁ ସଂଘବଦ୍ଧ ଭାବେ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଘଟଣା ପରେ ପୁଲିସ ପକ୍ଷରୁ ଅନ୍ୟ ଡ୍ୟାନସ ବାର ଉପରେ କଡା ନଜର ରଖାଯାଇଛି ।