ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ଏଣିକି ସ୍କୁଲ ଯିବା ପାଇଁ ବାଟ ଖର୍ଚ୍ଚ ଦେବେ ସରକାର । ଏନେଇ ଖୋଦ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଯେଉଁ ସବୁ ବିଦ୍ୟାଳୟ ମାନଙ୍କରେ ୧୦ ଜଣରୁ କମ ପିଲା ରହିଛନ୍ତି ସେହିସବୁ ସ୍କୁଲକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଥିବା ୯୬୬ ଟି ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
ଯେଉଁ ସବୁ ସ୍କୁଲ ବନ୍ଦ ହେବ ସେଠାରେ ପାଠ ପଢୁଥିବା ପିଲାମାନେ ପାଖରେ ଥିବା ଅନ୍ୟ ବିଦ୍ୟାଳୟେରେ ନାମ ଲେଖାଇ ପାଠ ପଢି ପାରିବେ । ଆଉ ଯଦି ଉକ୍ତ ସ୍କୁଲ ପିଲାଙ୍କ ଘର ଠାରୁ ୧ କିଲୋମିଟର ଠାରୁ ଅଧିକ ହୋଇଥିବ ସେଇ ପିଲାମାନଙ୍କର ଯିବା ଆସିବା ଖର୍ଚ୍ଚ ସରକାର ବହନ କରିବେ । ପିଲାଙ୍କର ୧୦ ମାସର ଯାତାୟତ ଖର୍ଚ୍ଚ ସରକାର ଦେବେ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ ବିଦ୍ୟାଳୟରେ ପିଲାର ଉପସ୍ଥାନ ୭୫ ପ୍ରତିଶତ ଥିଲେ ମାସକୁ ୬୦୦ ଟଙ୍କା ମିଳିବ । ସେହିଭଳି ୫୦ ରୁ ୭୪ ପ୍ରତିଶତ ରହିଲେ ମାସକୁ ୪୦୦ ଟଙ୍କା ଓ ୩୦ ରୁ ୪୯ ପ୍ରତିଶତ ରହିଲେ ମାସକୁ ୩୦୦ ଟଙ୍କା ଦିଆଯିବ । ଯଦି ବିଦ୍ୟାଳୟରେ ପିଲାର ଉପସ୍ଥାନ ୩୦ ପ୍ରତିଶତରୁ କମ ରହିଲା ତେବେ ପିଲାଙ୍କୁ କିଛି ଟଙ୍କା ମିଳିବ ନାହିଁ ।