ଅନୁଗୋଳ ( ଏଟିଅଆର ବ୍ୟୁେରୋ): ପୁଣି ଶବକୁ ଅସମ୍ମାନ । ଶବକୁ ମିଳିଲା ନାହିଁ ଶବାଗାର । ସାରା ରାତି ବାରଣ୍ଡାରେ ପଡି ରହିଲା ଶବ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ମେଡିକାଲରେ । ଗତ ୧୬ ତାରିଖରେ କଳାହାଣ୍ଡିରେ ମହାପ୍ରୟାଣ ଗାଡି ନମିଳିବାରୁ ଝୁଲାରେ ବୁହା ହୋଇଥିଲା ଶବ । ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା । ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ଦିନ ୪ ଟା ବିତିନି ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଗତକାଲି ଖଣ୍ଡହଡା ଗ୍ରାମର ନାବାଳିକା ଜୟଶ୍ରୀ ନହରାଙ୍କୁ ସାପ କାମୁଡି ଥିଲା । ପରିବାର ଲୋକେ ଜୟଶ୍ରୀଙ୍କୁ ଅନୁଗୁଳ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ମୃତକକୁ ଶବାଗାରରେ ରଖି ନଥିଲେ ଡାକ୍ତରଖାନା କତ୍ତୃପକ୍ଷ । ରାତି ସାରା ଶବ ବାହାରେ ପଡି ରହିଥିଲା । ଯାହାକୁ ନେଇ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।