ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ । ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନମ୍ସଲମାନେ ଏହା ପାଳନ କରିବେ । ସରକାରଙ୍କ ନକ୍ସଲ ଦମନ ନୀତିକୁ ବିରୋଧ କରି ପ୍ରତିବର୍ଷ ଜୁଲାଇ ୨୮ରୁ ବିଭିନ୍ନ ନକ୍ସଲ ସଂଗଠନ ତରଫରୁ ଏହି ସପ୍ତାହ ପାଳନ କରାଯାଇଥାଏ। ଏହି ସପ୍ତାହ ପାଳନ ଅବସରରେ ନକ୍ସଲମାନେ ବିଭିନ୍ନ ପ୍ରକାର ଅଘଟଣ ଘଟାଇଥା’ନ୍ତି। ନକ୍ସଲ ନାମ ଶୁଣିଲେ ସମସ୍ତଙ୍କ ଭୟ । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ପୋଲିସ । ତେଣୁ ଏହାକୁ ଦୃଷ୍ଟିରେ ରଖି ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଆନ୍ଧ୍ର-ଓଡ଼ିଶା ସୀମା ସିଲ୍ ସହ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି। ମାଓ ମୁକାବିଲା ପାଇଁ ଜିଲ୍ଲାରେ ମୁତୟନ ସିଆରପିଏଫ୍, ବିଏସଏଫ୍ ଯବାନଙ୍କ ସମେତ ଏସଓଜି, ଡିଭିଏଫ୍ ଯବାନ କମ୍ବିଂରେ ମୁତୟନ ହୋଇଛନ୍ତି। ଏହାଛଡ଼ା ଏହି ଇଲାକା ଅନ୍ତର୍ଗତ ୨୯ଟି ରୁଟରେ ସରକାରୀ ବସ୍ ଚଳାଚଳକୁ ବନ୍ଦ ରଖାଯାଇଛି। ତେବେ ମାଓବାଦୀଙ୍କ ସହିଦ୍ ସପ୍ତାହ ପାଇଁ ଜୟପୁର, ରାୟଗଡ଼ା, ବ୍ରହ୍ମପୁର, ଭଂଜନଗର ଓଡ଼ିଶା ରାଜ୍ୟ ପରିବହନ ନିଗମ ଅଧୀନରେ ଥିବା ୨୯ଟି ରୁଟରେ ବସ୍ ଚଳାଚଳ ବନ୍ଦ ରହିଛି। ଆସନ୍ତା ଅଗଷ୍ଟ ୪ତାରିଖରେ ବସ୍ ଚାଳଚଳ ସ୍ବାଭାବିକ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ରୁଟରେ ଚଳାଚଳ କରୁଥିବା ବେସରକାରୀ ବସ୍ ଆନ୍ଧ୍ର ରୁଟ ଦେଇ ଯାତାୟାତ କରିବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି।
ସେହିପରି ନକ୍ସଲଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ମଧ୍ୟ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି। ଗତକାଲି ଛତିଶଗଡ଼ର ବସ୍ତର ଜିଲ୍ଲାରେ ପୁଲିସ୍ ଏନକାଉଣ୍ଟରରେ ୭ଜଣ ନକ୍ସଲ ନିହତ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଠାରେ ଓଡ଼ିଶା-ଛତିଶଗଡ଼ ସୀମାକୁ ସିଲ୍ କରାଯାଇଛି। ଉକ୍ତ ଅଞ୍ଚଳରେ ଯାତାୟତ କରୁଥିବା ଗାଡ଼ିକୁ ଯାଞ୍ଚ କରାଯାଉଛି। ନକ୍ସଲଙ୍କ ଗତିବିଧି ଉପରେ ପୂରା ନଜର ରଖାଯାଇଥିବା ମାଲକାନଗିରି ଏସ୍ପି କହିଛନ୍ତି। ସୁରକ୍ଷା ଦୃଷ୍ଟିରୁ କିଛି ଅଞ୍ଚଳରେ ସରକାରୀ ବସ୍ ଚଳାଚଳକୁ ବନ୍ଦ ରଖାଯାଇଥିବା ଜଣାପଡ଼ିଛି।
ନିକଟରେ ମାଓବାଦୀ ରାୟଗଡା ସୀମାନ୍ତ କଳାହାଣ୍ଡି ଜିଲ୍ଲାରେ ଦୁଇ ଜଣଙ୍କୁ ହତ୍ୟା କରିଥିବାରୁ ପୁଲିସ୍ ସଜାଗ ରହିବା ସହ ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷଣ୍ ନଜର ରଖିଛି। ରାୟଗଡ଼ାରେ ମାଓବାଦୀଙ୍କ ସ୍ଥିତି ପ୍ରଭାବହୀନ ସତ୍ତ୍ବେ ସଜାଗ ରହିଛି ପୁଲିସ୍। ପଡ଼ୋଶୀ କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ଆନ୍ଧ୍ରରେ ମାଓବାଦୀଙ୍କ ଗତିବିଧି ଥିବାରୁ ଯେ କୌଣସି ମୁହୂର୍ତରେ ଆତ୍ମଗୋପନ ପାଇଁ ରାୟଗଡ଼ାକୁ ପଶି ଆସି ପାରନ୍ତି ମାଓବାଦୀ। ଗୁଇନ୍ଦା ବିଭାଗର ଏହି ସୂଚନା ପରେ ପୁଲିସ୍, ସିଆରପିଏଫ୍, ବିଏସଏଫ୍ ଯବାନ କମ୍ବିଂ ଅପରେସନକୁ ଜୋରଦାର୍ କରିଛନ୍ତି। ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଥିବା ଗାଁ ଓ ନିକଟସ୍ଥ ଜଙ୍ଗଲ ଉପରେ ସୁରକ୍ଷା ବାହିନୀ କଡ଼ା ନଜର ରଖିବା ସହିତ ଗୁଇନ୍ଦା ସୂଚନାକୁ ଭିତ୍ତି କରି ସର୍ଚ ଅପରେସନ୍ ଜାରି ରଖିଛି।