ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଟଲିରେ ଥାଏ ବଡ଼ଭାଇର ମୃତଦେହ । ଆଉ ସାନ ଭାଇ ତାକୁ ବୋହିନେଉଥାଏ ସଂସ୍କାର ଲାଗି । ହେଲେ ଏ ସମାଜ ସେଥିରେ ଦାଉ ସାଜିଲା । ମୃତଦେହକୁୁ ସଂସ୍କାର କରିବାକୁ ସୁଯୋଗ ଦେଲାନାହିଁ । ଫଳସ୍ୱରୂପ ବାଧ୍ୟହୋଇ ପୂରା ସହର ସାରା ଟଲି ଧରି ଚକ୍କର କାଟିଲା ସାନଭାଇ । ଆଶା, କାଳେ କେଉଁଠି ଖଣ୍ଡେ ଯାଗା ମିଳିଯିବ କି’ ଭାଇର ଶବ ସଂସ୍କାର ପାଇଁ । ବିତିଯାଇଥିଲା ୮ଘଣ୍ଟା । ତଥାପି ହତଭାଗା ସାନଭାଇକୁ ସେତିକି ବି ସୁଯୋଗ ମିଳିଲା ନାହିଁ ।
ଏପରିସ୍ଥଳେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ କେତେକ ସମାଜସେବୀ । ଘଟଣା ସମ୍ପର୍କରେ ପୁଲିସକୁ ଜଣାଇବା ପରେ ଏବେ ପୁଲିସ ହସ୍ତକ୍ଷେପ କରିଛି । ଏମିତି ଏକ ଘଟଣା ରାଉରକେଲାରେ ଚର୍ଚ୍ଚାର ବିଷୟ ହୋଇଛି । ଇନ୍ଦିରାନଗରରେ ରହୁଥିବା ଧରମ୍ବୀର ଲୋହାରଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ସାନଭାଇ ମଙ୍ଗଲ ଶବ ସଂସ୍କାର କରିବା ଲାଗି ଯାଇଥିଲେ । ହେଲେ ର୍ଦୁଭାଗ୍ୟ ସେ ଯେଉଁଠି କି’ ବି ଯାଇଥିଲେ ସେଠାରେ ଲୋକେ ତାଙ୍କୁ ଘଉଡାଇଥିବା ଅଭିଯୋଗ ହୋଇଛି । ଏହାପରେ କେତେକ ସମାଜସେବୀ ଘଟଣା ସମ୍ପର୍କରେ ହସ୍ତକ୍ଷେପ କରି ପୁଲିସକୁ ଜଣାଇଥିଲେ । ମୃତ ଧରମ୍ବୀର ଓ ତାଙ୍କ ଭାଇ ଝାଡଖଣ୍ଡର ବୋଲି ଜଣାପଡିଛି । ଏଠାରେ ରହି ସେ ଶ୍ରମିକ ଭାବେ କାମ କରୁଥିଲେ ।