ପୁରୀ,(ଏଟିଆରବ୍ୟୁରୋ): ଆଉ ଟିକେ ବିଳମ୍ବ ହୋଇଥିଲେ ସବୁ ଓଲଟପାଲଟ ହୋଇ ଯାଇଥାନ୍ତା । ଅକାଳେ ଆଖି ବୁଜିଥାନ୍ତେ ବୃଦ୍ଧ । ହେଲେ ସୌଭାଗ୍ୟ ଦେବଦୂତ ହୋଇ ଆସିଲେ ସରପଞ୍ଚ । ଆଖି ସାମ୍ନାରେ ଆତ୍ମହତ୍ୟା କରିବାକୁ ଯାଉଥିବା ବୃଦ୍ଧଙ୍କୁ ବଞ୍ଚାଇ ଦେଲେ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା ହଳଦୀଆ ଛକ ନିକଟରେ । ପାରିବାରିକ କଳହ କାରଣରୁ ବୃଦ୍ଧା ଜଣଙ୍କ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ ବୋଲି ସୂଚନା ମିଳିଛି ।
ପୂରା ଘଟଣାଟି ଏହିପରି, ପୁରୀ କୃଷ୍ଣପ୍ରସାଦ ବ୍ଲକ ତିତିପ ଗ୍ରାମର ସରପଞ୍ଚ ରମେଶ ଚନ୍ଦ୍ର ମହାପାତ୍ର କୌଣସି ଏକ କାମରେ ଭୁବନେଶ୍ୱର ବାହାରିଥିଲେ । ତେବେ ହଳଦିଆ ଛକ ନିକଟରେ ଅନେକ ଲୋକ ରୁଣ୍ଡ ହୋଇଥିବା ଦେଖି ସେ ସେଠାରେ ଅଟକି ଯାଇଥିଲେ । ଦେଖିବା ବେଳକୁ ସତେ ଯେପରି ମାନବିକତା ମରିଯାଇଥିବା ରମେଶ ଅନୁଭବ କରିଥିଲେ । ଆଖି ଆଗରେ ଜଣେ ବୃଦ୍ଧ ଗଛରେ ଗାମୁଛା ବାନ୍ଧି ଝୁଲିବାକୁ ଚେଷ୍ଟା କରୁଥିବା ବେଳେ ଉପସ୍ଥିତ ଲୋକେ ତାଙ୍କୁ ବଂଚାଇବେ କ’ଣ ବରଂ ମୋବାଇଲ କାଢ଼ି ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ । ଏହା ଦେଖି ରମେଶ କିନ୍ତୁ ଆଗକୁ ଦୌଡି ଯାଇ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ ।
ଖାଲି ଉଦ୍ଧାର ତ’ ନୁହେଁ ସଙ୍ଗେ ସଙ୍ଗେ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ । ଜଣେ ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି । ସେପଟେ ଜଣେ ଜନପ୍ରତିନିଧି ଭାବେ ରମେଶଙ୍କ ଏହି କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି । ତେବେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବୃଦ୍ଧଙ୍କ ଘର କାଳୁପଡା ଅଞ୍ଚଳରେ ବୋଲି ଜଣାପଡିଛି ।