ଯାଜପୁର(ଏଟିଆର ବ୍ୟୁରୋ): ଗତକାଲି ବିଳମ୍ବିତ ରାତିରେ ଏକ ଆମ୍ବୁଲାନ୍ସ ଟ୍ରକ ପଛପଟୁକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ୩ଜଣଙ୍କ ମୃତୁ ଘଟିଛି । ସୂଚନା ଅନୁସାରେ ଆମ୍ବୁଲାନ୍ସଟି ବିଷ ଖାଇ ଗୁରୁତରେ ହୋଇ ଥିବା ଜଣେ ମହିଳାଙ୍କୁ କଟକ ବଡ ମେଡିକାଲକୁ ନେଇକି ଯାଉଥିଲା । ବିଷ ଖାଇଥିବା ମହିଳା ଜଣଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ହେବା ପରେ ତାଙ୍କର ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା ପଠାଯାଇଥିଲା । ରାତି ପ୍ରାୟ ୨ଟା ବେଳେ ବଡଚଣା ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥ ବନ୍ଦୋଳ ନିକଟରେ ଏକ ଟ୍ରକ ଥୁଆ ହୋଇଥିଲା । ଏହି ସମୟରେ ଆମ୍ବୁଲାନ୍ସଟି ଟ୍ରକର ପଛପଟୁ ପିଟିଥିଲା ।
ଘଟଣା ସ୍ଥଳରେ ମୃତୁବରଣ କରିଛନ୍ତି ଆମ୍ବୁଲାନ୍ସ ହେଲ୍ପର୍ ରଞ୍ଜିତ କୁମାର ମଲିକ ଏବଂ ବିଷ ଖାଇଥିବା ମହିଳା । ଗୁରୁତ ଅବସ୍ଥାରେ ମହିଲାଙ୍କ ନାତି ଓ ପୁଅ, ଆମ୍ବୁଲାନ୍ସ ଡ୍ରାଇଭର ଗଗନ ମାହାନ୍ତି, ଗାଡିରେ ଥିବା ଫାର୍ମାସିଷ୍ଟିଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମହିଳାଙ୍କ ନତୀଙ୍କର ମୃତୁ ଘଟିଥିଲା । ତେବେ ମହିଳାଙ୍କ ପରିବାର ବିଷୟରେ କୌଣସି ସନ୍ଧାନ ମିଳିନାହିଁ । ଆଜି ସକାଳୁ ବଡଚଣା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସଟିକୁ ରାସ୍ତାରୁ ଉଠାଇବା ସହ ତଦନ୍ତ ଆରମ୍ଭ କରିଛି । ଟ୍ରକଟି ଘଟଣା ସ୍ଥଳରୁ ପଳାଇ ଯାଇଛି ।