ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଟ୍ରକ, କାର ଓ ବାଇକ୍ର ଚାଲାଣ କଟା ଯିବା କଥା ଆପଣ ଶୁଣିଥିବେ । କେବେ ଭାବିଛନ୍ତି ଶଗଡ଼କୁ ଫାଇନ କରାଯିବା ଘଟଣା । ତାହାପୁଣି ୧ହଜାର ଟଙ୍କାର । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି ଏକ ଘଟଣା ପୂରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ବି ଚାଲାଣ କାଟିଥିବା ଯଦିଓ ମାନିଛି ସେଥିରେ ସାମାନ୍ୟ ତୃଟି ରହିଯାଇଥିବା ସ୍ୱୀକାର କରିଛି ।
ଘଟଣାଟି ସାମ୍ନାକୁ ଆସିଛି ଉତ୍ତରାଖଣ୍ଡରେ । ଏଠାକାର ପୁଲିସ ଏକ ମଇଁଷି ଟଣା ଶଗଡ ଉପରେ ଚାଲାଣ କାଟି ଦେଇଛି । ଶନିବାର ଡେରାଡୁନର ବିକାଶନଗର ସାହସପୁର ଅଞ୍ଚଳରେ ଏମଭି ଚେକିଂ ଚାଲିଥିଲା । ଠିକ୍ ଏହି ସମୟରେ ସେହି ବାଟ ଦେଇ ମଇଁଷି ଶଗଡଟି ଯାଉଥିଲା । ଆଉ ଏମଭି ଆଇନ୍ରେ ସେହି ଶଗଡ ଉପରେ ପୁଲିସ ୧୦୦୦ଟଙ୍କାର ଚାଲାଣ କାଟିଥିଲା । ମାତ୍ର ସଂଶୋଧିତ ଆଇନରେ ମଇଁଷି ଟଣା ଶଗଡ ଗାଡିର ଚାଲାଣ କାଟିବା ନିୟମ ନାହିଁ । ଯାହାକୁ ନେଇ ସେଠାକାର ଚାଷୀ ଚିନ୍ତା ପ୍ରକଟ କରିଛନ୍ତି । ସେପଟେ ଥାନା ଅଧିକାରୀ ଏ ସମ୍ପର୍କରେ କହିଛନ୍ତି ଯେ, ଏଠାକାର ବହୁଲୋକ ମଇଁଷି ଗାଡି ସହାୟତାରେ ଖନନ କାମ କରୁଛନ୍ତି । ଏହି ଖନନ ମାମଲାରେ ଗାଡି ଉପରେ ଚାଲାଣ କଟାଯାଇଛି । ସେଥିରେ ଧାରା ୮୧ ଲଗାଯିବା କଥା କିନ୍ତୁ ଭୁଲବସତଃ ଏମଭି ଆଇନ୍ ଲେଖାଯାଇଛି । ସେପଟେ ଏନେଇ ଚାଷୀଙ୍କ ଅଭିଯୋଗ କ୍ରମେ ଘଣ୍ଟାଏ ଭିତରେ ଚାଲାଣକୁ ରଦ୍ଧ କରାଯାଇଥିବା ସୂଚନା ମିଳିଛି ।