ବଲାଙ୍ଗୀର ( ଏଟିଆର ବ୍ୟୁରୋ): ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜିଠାରୁ ୨ ଦିନ ଧରି ବଲାଙ୍ଗୀର ଜିଲ୍ଲାରେ ବନ୍ଦ ରହିବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ । ଏହି ବନ୍ଦ ଡାକରା ଦେଇଛି ଜିଲ୍ଲା ଓକିଲ ସଂଘ । ଏହି ଅବସରରେ ଆଜି ଆଜି ଜିଲ୍ଲାରେ ଥିବା ସବୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ୟ୍ୟାଳୟ, ବ୍ୟାଙ୍କ,ବୀମା କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଛି। କେବଳ ସ୍କୁଲ, କଲେଜ ସହ ଅନ୍ୟ ଶିକ୍ଷାନୁଷ୍ଠାନ , ଦୋକାନ ବଜାର ଓ ଗାଡି ଚଳାଚଳକୁ ବନ୍ଦ ଡାକରାରୁ ବାଦ୍ ଦିଆଯାଇଛି।
ସୂଚନାଯୋଗ୍ୟ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଦୀର୍ଘ ବର୍ଷ ହେବ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ କେନ୍ଦ୍ର କିମ୍ବା ରାଜ୍ୟ ସରକାର କର୍ଣ୍ଣପାତ କରୁ ନାହାନ୍ତି। ଯାହାର ପ୍ରତିବାଦରେ ୨ ଦିନିଆ ବନ୍ଦ ଡାକରା ଦେଇଛି ସଂଘ ।
ପୂର୍ବରୁ ଏଥିପାଇଁ ରାଜଧାନୀରେ ଆନ୍ଦୋଳନ ହୋଇଥିଲା ଓ ଆଇନ ମନ୍ତ୍ରୀଙ୍କୁ ମଧ୍ୟ ଏ ନେଇ ଅବଗତ କରାଯାଇଥିଲା । ତଥାପି ଏଥିପ୍ରତି ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛି ସଂଘ । ଅନ୍ୟପଟେ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ସ୍ଥାନ ଚିହ୍ନଟ ପାଇଁ ରାଜ୍ୟକୁ କହିଥିଲେ ମଧ୍ୟ ରାଜ୍ୟ ଏଥିପ୍ରତି ବିଶେଷ ଦୃଷ୍ଟି ଦେଉନଥିବା କୁହାଯାଉଛି । ଆଜିର ଏହି ବନ୍ଦରେ ବ୍ୟାଙ୍କ ଗ୍ରାହକ ଓ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।