ରାଉରକେଲା(ଏଟିଆର ବ୍ୟୁରୋ): ବହୁ ଦିନ ଧରି ଝାଡଖଣ୍ଡ, ଓଡିଶାର ବିଭିନ୍ନ ଅଞ୍ଚଳରେ ଡକାୟତି, ହତ୍ୟାକାଣ୍ଡ ଘଟାଇ ଲୁଚି ରହିଥିବା ଦୁର୍ଦ୍ଦାନ୍ତ ଅପରାଧୀ ତଥା ନକ୍ସଲ ସଂଗଠନ ପିଏଲଏଫଆଇର ସଦସ୍ୟକୁ ଧରିବାରେ ସକ୍ଷମ ହୋଇଛି ରାଉରକେଲା ଟାଉନ ପୋଲିସ । ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା ରାଉରକେଲା ଟାଉନ ପୋଲିସ ଆଜି ନକ୍ସଲ ସଂଗଠନ ପିଏଲଏଫଆଇର ସଦସ୍ୟ ସୁଦାମ ସିଂକୁ ଗିରଫ କରିଛି । ସୁଦାମ ନାଁରେ ଓଡିଶା ଓ ଝାଡଖଣ୍ଡ ଅଞ୍ଚଳରେ ହତ୍ୟା, ବ୍ୟାଙ୍କ ଡକାୟତି ଭଳି ୧୫ରୁ ଅଧିକ ମାମଲା ରହିଛି ।
ଝାଡଖଣ୍ଡରେ ଜଣେ ନେତାଙ୍କୁ ହତ୍ୟା କରିବା ସହ ଆହୁରି ୭ଟି ମାମଲା ସୁଦାମ ନାଁରେ ଝାଡଖଣ୍ଡର ବିଭିନ୍ନ ଥାନାରେ ରହିଛି । ସୁଦାମର ଘର ଝାଡଖଣ୍ଡ ଜିଲ୍ଲାରେ ବୋଲି ଜଣା ପଡିଛି । ସୁଦାମ ଝାଡଖଣ୍ଡ ବାନୋ ଅଞ୍ଚଳର ଏରିଆ କମାଣ୍ଡର ଥିଲା । ପୋଲିସ ସୁଦାମ ଠାରୁ ଗୋଟିଏ ବନ୍ଧୁକ ଓ ଅଫୁଟା ଗୁଳି ଜବତ କରିଛି । ପୋଲିସ ସୁଦାମ ଠାରୁ ନକ୍ସଲ ମାନଙ୍କର ଠିକଣା ଜାଣିବାକୁ ଚେଷ୍ଟା କରୁଛି । ରାଉରକେଲା ଟାଉନ ପୋଲିସର ଏହା ହେଉଛି ସବୁ ଠାରୁ ବଡ ସଫଳତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।