ଭୁବନେଶ୍ୱର,(ଏଟିଆର ଏକ୍ସକ୍ଲ୍ୟୁସିଭ): ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ଯାହାକୁ ନେଇ ଏବେ ଚିନ୍ତାରେ ପୁଲିସ । ତଦନ୍ତ କେଉଁଠୁ ଆରମ୍ଭ କରିବ ସେନେଇ ଅଡୁଆରେ ପଡିଛି । ମୃତ ସୌମ୍ୟ ଶେଖରଙ୍କ ଜବତ ହୋଇଥିବା ୨ଟି ଲ୍ୟାପଟପ ଓ ମୋବାଇଲରୁ ଏମିତି କିଛି ସୁରାକ ପୁଲିସ ହାତରେ ଲାଗିଛି ଯାହା ପୁଲିସକୁ ପୂରା ବୁଢ଼ିଆଣୀ ଜାଲରେ ଛନ୍ଦି ଦେଇଛି ।
ପ୍ରଥମେ ପୁଲିସ ବଲାଙ୍ଗୀର ପାଟଣାଗଡ଼ ସ୍ଥିତ ସୌମ୍ୟଙ୍କ ଘରୁ ଗୋଟିଏ ଲ୍ୟାପଟପ ଜବତ କରିଥିଲା । କିନ୍ତୁ ତଦନ୍ତ ପାଇଁ ବେଙ୍ଗାଲୁର ଯାଇଥିବା ପୁଲିସ ସେଠାରୁ ଆଉ ଏକ ଲ୍ୟାପଟପ ଜବତ କରିଛି । ଯେଉଁଥିରୁ ଅନେକ ଭିତିରିଆ କଥା ସାମ୍ନାକୁ ଆସିଥିବା ଜଣାପଡିଛି । ୧୫ ଦିନ ଧରି ଏକ ୪ ଜଣିଆ ସାଇବର ବିଶେଷଜ୍ଞ ଟିମ ୨ଟି ଯାକ ଲ୍ୟାପଟପକୁ ଘାଁଟିବା ପରେ ଶତପ୍ରତିଶତ ନହେଲେ ବି ଯେଉଁ କେତେକ ପ୍ରମାଣ ପାଇଛି ତାହା ଏବେ ମାମଲାକୁ ଆଉ ଏକ ମୋଡକୁ ଟାଣି ନେଇଛି ।
ମାମଲାକୁ ସିଧାସଳଖ ତଦାରଖ କରୁଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ‘ତଦନ୍ତ ବେଳେ ସୌମ୍ୟଙ୍କ ଆଶ୍ଚର୍ଯ୍ୟଜନକ ଲିଙ୍କ ମିଳିଛି । ବେଙ୍ଗାଲୁରରେ ଚାକିରୀ କରିବା ପୂର୍ବରୁ ଓ ପରେ ସେ କାହା ସହ ନିବିଡ଼ ସମ୍ପର୍କରେ ଥିଲେ ସେ ସମ୍ପର୍କରେ ବିସ୍ତୁତ ତଥ୍ୟ ହାସଲ ହୋଇଛି । ସିଧା କହିବାକୁ ଗଲେ ପ୍ରାଥମିକସ୍ତରରେ ଶେଖରଙ୍କର ଏକାଧିକ ବାନ୍ଧବୀଙ୍କ ସହ ଲିଙ୍କ ଥିବା ପରୋକ୍ଷ୍ୟରେ ସୂଚନା ଦେଇଛନ୍ତି ଅଧିକାରୀ ଜଣକ । ଏହି ବାନ୍ଧବୀଙ୍କ ମଧ୍ୟରୁ କେହି ବି ପରୋକ୍ଷ କିମ୍ବା ପ୍ରତ୍ୟେକ୍ଷ ଭାବରେ ଘଟଣା ସହ ସମ୍ପୃକ୍ତ ଥିବା ଏବେ ସନ୍ଦେହ କରାଯାଉଛି । ଯେଉଁମାନଙ୍କୁ ଖୁବ ଶୀଘ୍ର ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସୂଚନା ମିଳିଛି ।
ସବୁଠୁ ବଡ଼ କଥା ହେଉଛି ପୂରା ଘଟଣାକୁ ନେଇ ସୌମ୍ୟଙ୍କ ପରିବାରର ସେତେଟା ପୁଲିସକୁ ସହଯୋଗ କରୁନଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ଯାହା ଅନେକ ପ୍ରଶ୍ନ ଛିଡା କରୁଛି । ଖାଇବାଠୁ ନେଇ ଶୋଇବା ପର୍ଯ୍ୟନ୍ତ ସବୁ କିଛି ସୌମ୍ୟ ତାଙ୍କ ବାପାଙ୍କ ସହ ସେୟାର କରୁଥିବା ବେଳେ ବେଙ୍ଗାଲୁରରେ ଆଉ ଏକ ଲ୍ୟାପଟପ ବ୍ୟବହାର କରୁଥିବା କଥା କେମିତି ଲୁଚାଇଥିଲେ ତାହା ଏବେ ଆଲୋଚନାର ବିଷୟ ହୋଇଛି ।
ଅପରପକ୍ଷରେ ସୌମ୍ୟଙ୍କ ବିବାହ, ନିର୍ବନ୍ଧର ଏକ ବର୍ଷ ପରେ ବାହାଘର ଓ ଏହିଭଳି କେତେକ ଇସ୍ୟୁକୁ ନେଇ ପୁଲିସ ତଦନ୍ତ କରିବା ସମୟରେ ହିଁ ସୌମ୍ୟଙ୍କ ଏକାଧିକ ବାନ୍ଧବୀଙ୍କ ଲିଙ୍କ ଥିବା ନେଇ ସୁରାକ ମିଳିଛି । ସେପଟେ କାହିଁକି ସୌମ୍ୟ ବାହାଘରର ମାତ୍ର କିଛିଦିନ ପୂର୍ବରୁ ଗୋଟିଏ ନୁହେଁ ୩ ମାସ ବ୍ୟବଧାନରେ ଦୁଇ ଦୁଇଟି ଫେସବୁକ ଆକାଉଣ୍ଟ ବନ୍ଦ କରିଥିଲେ ତାକୁ ନେଇ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ବେଶ ଗୁରୁତର ସହ ନେଇଛି ପୁଲିସ ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ କହୁଛି, ସୌମ୍ୟଙ୍କ ଲିଙ୍କ ନେଇ ଏବେ ଜଣେ ଡାକ୍ତରଙ୍କୁ ମଧ୍ୟ ଜେରା କରିଛି ପୁଲିସ । ସୂଚନା ମିଳିଛି ଏହି ଡାକ୍ତର ଜଣକ କାଳେ ସୌମ୍ୟଙ୍କ ଫ୍ୟାମିଲି ଡାକ୍ତର । ତେବେ ଡାକ୍ତରଙ୍କୁ କାହିଁକି ଜେରା କରଗଲା? ଶୁଣିବାକୁ ମିଳୁଛି ଡାକ୍ତରଙ୍କୁ ଜେରା ସମୟରେ ସୌମ୍ୟଙ୍କ ବାପା କେତେକ କ୍ଷେତ୍ରରେ ବାଟ ଓଗାଳିଛନ୍ତି । କିନ୍ତୁ କାହିଁକି ତାହା ସ୍ପଷ୍ଟ ହୋଇନାହିଁ । ପୁଲିସକୁ କୌଣସି ତଥ୍ୟ ଲୁଚାଉଛନ୍ତି କି’ ମୃତ ଶେଖରଙ୍କ ବାପା? ତାକୁ ନେଇ ଚାରିଆଡେ ଚର୍ଚ୍ଚା । ଏପରିସ୍ଥଳେ ବୁଧବାର ପ୍ରଥମ କରି ମୁହଁ ଖୋଲିଛନ୍ତି ରୀମା । ନ୍ୟାୟ ପାଇବା ନେଇ ସେ ପୁଲିସକୁ ଅନୁରୋଧ କରିଥିବା ବେଳେ ଏବେ ଅପେକ୍ଷା ଏହି ଘଟଣାର ପର୍ଦ୍ଦାଫାସ କେବେ ହେଉଛି ।