ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ପବିତ୍ର ମହାଳୟା । ଆଜିଠାରୁ ୧୪ ଦିନ ଧରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଇଥାଏ । ମହାଳୟା ଭାରତର ଏକ ଧର୍ମଭିତ୍ତିକ ପର୍ବ । ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ମହାଳୟା ଶ୍ରାଦ୍ଧ ଅନୁଷ୍ଠିତ ହୋଇଥାଏ । ହିନ୍ଦୁ ଧର୍ମ ଅନୁସାରେ ପିତୃ ପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ସର୍ବଶ୍ରେଷ୍ଠ ଅଟେ ।
ଏହି ଶ୍ରାଦ୍ଧ ଦେଲେ ପରିବାରର ଉନ୍ନତି ହେବା ସହିତ ପୁଣ୍ୟ ଲାଭ ହେଉଥିବା ମତ ରହିଛି । କିମ୍ବଦନ୍ତୀ ଅନୁସାରେ ମହାଦାନୀ କର୍ଣ୍ଣଙ୍କୁ ସ୍ୱର୍ଗ ପୁରରେ ପୁରସ୍କାର ଭାବେ ବହୁତ ସୁନା ରୂପା ଅଳଙ୍କାର ମିଳିଥିଲା । ମାତ୍ର ତାଙ୍କୁ ଖାଦ୍ୟ ଦିଆଯାଇ ନଥିଲା । ଯାହାର ମୁଖ୍ୟ କାରଣ ଥିଲା ଜୀବନ କାଳ ମଧ୍ୟରେ ସେ କେବେ ହେଲେ ଅନ୍ନଦାନ କରି ନଥିଲେ । ଯମରାଜଙ୍କୁ ଅନୁରୋଧ କରି ସେ ୧୪ ଦିନ ପାଇଁ ମର୍ତ୍ତ୍ୟ ପୁରକୁ ଅ।।ସି ବ୍ରାହ୍ମଣ ଓ ଗରୀବ ମାନଙ୍କୁ ଅନ୍ନଦାନ କରିଥିଲେ ।
ଏହି ମହାଳୟାରେ ବଡ ଦେଉଳର ବାଇଶି ପାହାଚରେ ପିଣ୍ଡଦାନ କର୍ମ ହୋଇଥାଏ । ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ , ପିତା ମହଙ୍କୁ ବସୁ ରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟ ରୂପେ କଳ୍ପିତ କରାଯାଇଥାଏ । ପିଣ୍ଡ ଦାତାଙ୍କ ଗୃହରେ ସର୍ବଦେବ, ଋଷି ଏବଂ ପିତୃ ପୁରୁଷଙ୍କ ଉପସ୍ଥିତି ହେତୁ ଏହାକୁ ମହାଳୟା ଶ୍ରାଦ୍ଧ କୁହାଯାଏ ।