ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି କରିବା ସହ ପିଲାମାନଙ୍କୁ ଗୁଣନାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଦୃଷ୍ଟାନ୍ତ ମୂଳକ ପଦକ୍ଷେପମାନ ଗ୍ରହଣ କରିବାରେ ଲାଗିଛନ୍ତି । ଏବେ ବି ରାଜ୍ୟରେ ଅନେକ ବିଦ୍ୟାଳୟ ରହିଛି ଯେଉଁଠି ଉତ୍ତମ ଭିତ୍ତିଭୂମି ନାହିଁ କି ପିଲା ମଧ୍ୟ ନାହାନ୍ତି । ଏଭଳି ବିଦ୍ୟାଳୟ ଗୁଡିକୁ ଆଖି ଆଗରେ ରଖି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେମାନ ଗ୍ରହଣ କରାଯାଇଛି । ଏହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ଥିବା ୧୧ ହଜାର ୫୧୭ଟି ସ୍କୁଲର ମିଶ୍ରଣ କରାଯିବ ।
କାରଣ ଏହି ସବୁ ବିଦ୍ୟାଳୟରେ ଆକଶ୍ୟକ ସଂଖ୍ୟକ ପିଲା ନାହାନ୍ତି କି ଭିତ୍ତିଭୂମି ମଧ୍ୟ ସଠିକ ଭାବରେ ନାହିଁ । ଖାଲି ସେତି କି ନୁହେଁ ରାଜ୍ୟରେ ଥିବା ୨୦ କିମ୍ବା ତା’ଠାରୁ କମ ଛାତ୍ରଛାତ୍ରୀ ଥିବା ୬ହଜାର ୩୪୦ଟି ବିଦ୍ୟାଳୟ, ୪୦ରୁ କମ ଛାତ୍ରଛାତ୍ରୀ ଥିବା ୧୭୭ଟି ପ୍ରାଇମେରୀ ସ୍କୁଲ ବନ୍ଦ ହେବ । ତେବେ ନିୟମ ଅନୁଯାୟୀ ଯେଉଁ ସବୁ ବିଦ୍ୟାଳୟ ୧୦୦ ମିଟର ଦୂରତା କିମ୍ବା ଗୋଟିଏ କ୍ୟାମ୍ପସରେ ରହିଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ, ୨୦ କିମ୍ବା ତା’ଠାରୁ କମ୍ ପିଲା ଥିବା ବିଦ୍ୟାଳୟ, କେବଳ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ା ଯାଉଥିବା ବିଦ୍ୟାଳୟ, କେବଳ ନବମ ଓ ଦଶମ ଶ୍ରେଣୀ ଥିବା ବିଦ୍ୟାଳୟ, ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ ଗୁଡିକୁ ମିଶ୍ରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ମିଶ୍ରଣ ସମୟରେ କେତେକ ଶିକ୍ଷା ଆଇନକୁ ପାଳନ କରାଯିବ । ତେବେ ବିଦ୍ୟାଳୟ ଅଧିକ ଦୂରତା ମଧ୍ୟରେ ହୋଇଥିଲେ ଛାତ୍ରଛାତ୍ରୀଙ୍କ ପରିବହନ ବାବଦରେ ସେମାନଙ୍କୁ ଅର୍ଥ ପ୍ରଦାନ କରାଯିବ ।