ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଏକାଦଶୀକୁ ପାପାଙ୍କୁଶ ଏକାଦଶୀ ଭାବେ ପାଳନ କରାଯାଏ । ଏକାଦଶୀ ତିଥିରେ ବ୍ରତ କରିବା ଦ୍ୱାରା ପରମ ଲକ୍ଷ , ଭଗବତ ଭକ୍ତି କୁ ପ୍ରାପ୍ତ କରିବାରେ ସହାୟକ ହୋଇଥାଏ । ପୂର୍ଣ୍ଣ ଶ୍ରଦ୍ଧାର ସହ ଶ୍ରୀହରିଙ୍କ ସେବା କରିବା ପାଇଁ ଏହି ଦିନଟି ଖୁବ୍ ଶୁଭକାରୀ ହୋଇଥାଏ । ଏହି ଦିନ ମନବାଞ୍ଚିତ ଫଳପ୍ରାପ୍ତି ପାଇଁ ଭଗବାନ ବିଷ୍ଣୁଙ୍କ ପଦ୍ମନାଭ ସ୍ୱରୂପକୁ ପୂଜା କରାଯାଇଥାଏ । ଦେଖିବାକୁ ଗଲେ ପ୍ରତ୍ୟେକ ଏକାଦଶୀର ଭିନ୍ନ ଭିନ୍ନ ମହତ୍ୱ ରହିଛି କିନ୍ତୁ ପାପଙ୍କୁଶ ଏକାଦଶୀରେ ବ୍ରତ ରଖୁଥିବା ବ୍ୟକ୍ତିଙ୍କ ଦ୍ୱାରା ହୋଇଥିବା ଜଣା ଅଜଣା ପାପର ପ୍ରାୟଶ୍ଚିତ ହୋଇଥାଏ । ଏହି ବ୍ରତ କରିବା ଦ୍ୱାରା ମନ ଏବଂ ଆତ୍ମା ଶୁଦ୍ଧ ହୋଇଥାଏ ।
ପାପାଙ୍କୁଶ ଏକାଦଶୀ ଏଭଳି ଏକ ଏକାଦଶୀ ଯାହା ଏକ ହଜାର ଅଶ୍ୱମେଘ ଏବଂ ଏକ ଶହ ସୂର୍ଯ୍ୟ ଯଜ୍ଞ ସମାନ ଫଳ ପ୍ରଦାନ କରିବାର ହୋଇଥାଏ । ଏହି ବ୍ରତ ସହ ଅନ୍ୟ କୌଣସି ବ୍ରତ ସମାନ ହୋଇନଥାଏ । ଏହି ଏକାଦଶୀ ରାତ୍ରିରେ ଯେଉଁ ବ୍ୟକ୍ତି ଜାଗରଣ କରିଥାନ୍ତି, ସେ ସ୍ୱର୍ଗର ଅଧିକାରୀ ହୋଇଥାନ୍ତି । ଏହି ଦିନ ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ପଦ୍ମପୁରାଣ ଅନୁସାରେ,ଯେଉଁ ବ୍ୟକ୍ତି ସ୍ୱର୍ଣ୍ଣ, ଭୂମି, ଗାଇ, ଅନ୍ନ, ଜଳ, ଜୋତା ଏବଂ ଛତା ଆଦି ଦାନ କରିଥାନ୍ତି, ସେ ଯମରାଜଙ୍କୁ ଭେଟିବେ ନାହିଁ ।
ଏହି ଏକାଦଶୀ ଦିନ ଗରୁଡ ଉପରେ ବିରାଜମାନ ଥିବା ଭଗବାନ୍ ବିଷ୍ଣୁଙ୍କ ଦିବ୍ୟ ରୂପକୁ ପୂଜା କରାଯାଇଥାଏ । ଏହି ଦିନ ସକାଳୁ ଉଠି ସ୍ନାନ ସାରିବା ପରେ ବ୍ରତ ପାଇଁ ସଂକଳ୍ପ ନେବା ଉଚିତ୍ । ଏହାପରେ ଭଗବାନ ବିଷ୍ଣୁଙ୍କୁ ଚନ୍ଦନ, ଅକ୍ଷତ, ଫୁଲ, ଫଳ ଆଦି ଅର୍ପଣ କରନ୍ତୁ । ପୁଣି ଏକାଦଶୀ କଥା ଶୁଣିବା ଉଚିତ୍ ଏବଂ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ଜପ କରିବା ସହ ଭଗବାନଙ୍କ ଆଳତୀ କରନ୍ତୁ ।
ପୁରାତନ କାଳରେ ବିନ୍ଧ୍ୟ ପର୍ବତ ଉପରେ ନିର୍ଦ୍ଦୟ ପକ୍ଷୀଶିକାରୀ ରହୁଥିଲା । ସେ ତାର ସାରା ଜୀବନ ହିଂସା, ଚୋରୀକରିବା,ମଦ୍ୟପାନ, ଖରାପ କାମ ଆଦିରେ ବିତେଇ ଦେଇଥିଲା । ଯେବେ ତାର ଶେଷ ସମୟ ଆସିଲା ସେତବେଳେ ତାକୁ ନେବା ପାଇଁ ଯମରାଜଙ୍କ ଦୂତ ଆସି କହିଥିଲେ କି , କାଲି ତୁମ ଜୀବନର ଶେଷ ଦିନ, ମୁଁ ତୁମକୁ ନେବା ପାଇଁ କାଲି ଆସିବି । ଏହି କଥା ଶୁଣି ସେ ବହୁତ ଭୟବୀତ ହୋଇ ଯିବା ସହ ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ପହଁଚି ଅଙ୍ଗିରାଙ୍କ ଚରଣ ସ୍ପର୍ଷ କରି ପ୍ରାର୍ଥନା କରିବାକୁ ଲାଗିଲା । ଏହାପରେ ତା ଉପରେ ମହର୍ଷି ଅଙ୍ଗିରା ପ୍ରସନ୍ନ ହୋଇ କହିଥିଲେ, ତୁମେ ଆଗାମୀ ଦିନ ହେବାକୁ ଥିବା ଶୁକ୍ଳ ଏକାଦଶୀ ବିଧି ପୂର୍ବକ ବ୍ରତ କର । ଏହାପରେ ସେ ବିଧି ବିଧାନ ସହ ଏକାଦଶୀ ବ୍ରତ କରିଥିଲା ଏବଂ ଏହି ପୂଜା ବଳରେ ଭଗବାନଙ୍କ କୃପାରୁ ସେ ବିଷ୍ଣୁ ଲୋକ ଯାଇଥିଲା । ଯେତେବେଳେ ଯମରାଜର ଯମଦୂତ ଏହି ଚମକ୍ରାରକୁ ଦେଖିଥିଲେ ସେ ତାକୁ ନ ନେଇ ଯମଲୋକ ଫେରି ପଳାଇଥିଲେ ।