ରାଉରକେଲା(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବହୁ ପଦକ୍ଷପ ମଧ୍ୟ ଗ୍ରହଣ କରାଯାଉଛି । କେଉଁଠି ସିସିଟିଭି କ୍ୟାମେରା ଲଗାଯାଉଛି ତ ଆଉ କେଉଁଠି ଚେକିଙ୍ଗକୁ କଡାକଡି କରାଯାଉଛି । ତେବେ ଏତେ ଚେକିଙ୍ଗ ପାଟ୍ରୋଲିଙ୍ଗ ଥାଇକି ମଧ୍ୟ କିଭଳି ଭାବେ ଲୁଟ ପାଟ ଓ ଚୋରି ହେଉଛି ତାହା ବର୍ତ୍ତମାନ ସବୁଠି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଳଟିଛି । ତାହା ପୁଣି କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ ଖୋଦ ୨ୟ ସ୍ମାର୍ଟ ସିଟି କୁହାଯାଉଥିବା ରାଉରକେଲା ସହରରେ । ଆଜେବେଷ୍ଟସ ଛାତ ଭାଙ୍ଗି ଦୁର୍ବୃତ୍ତ ମାନେ ୫ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ।
ସୂଚନା ଅନୁସାରେ ଜଣେ ଆରଏସପି କର୍ମଚାରୀ ଦମନ ତ୍ରିପାଠୀଙ୍କ ବି-୧୭୧ ବାସଭବନରେ ଦୁର୍ବୃତ୍ତ ମାନେ କଳାକନା ବୁଲାଇଛନ୍ତି । ଦମନଙ୍କ କହିବା ଅନୁସାରେ ସେ ତାଙ୍କ ପତ୍ନୀ ଓ ତାଙ୍କ ଝିଅଙ୍କ ସହ ୨ତାରିଖରୁ ଭୁବନେଶ୍ୱର ଯାଇଥିଲେ । ସେଠାରେ ସେମାନେ ଦୁଇ ଦିନ ରହିଥିଲେ । ତେବେ ଆଜି ସକାଳେ ଦମନ ତାଙ୍କ ବାସଭବନ ନିକଟରେ ପହଞ୍ଚି ଦେଖିବାକୁ ପାଇଥିଲେ ଯେ ତାଙ୍କ ଆଜେବେଷ୍ଟସ ଛାତ ଭଙ୍ଗା ଯାଇଛି । ଦମନ ଘର ତାଲା ଖୋଲି ଭିତରକୁ ଯାଇ ଦେଖିବାକୁ ପାଇଥିଲେ ଯେ ତାଙ୍କ ଆଲମିରା ଭାଙ୍ଗି ଦୁର୍ବୃତ୍ତମାନେ ସବୁ କିଛି ଲୁଟି ନେଇଛନ୍ତି । ସେ ତାଙ୍କ ଝିଅ ବାହାଘର ପାଇଁ ରଖିଥିବା ସୁନା ଗହଣା ଓ ନଗତ ୩୦ ହଜାର ଟଙ୍କା ଦୁର୍ବୃତ୍ତ ମାନେ ଲୁଟି ନେଇଛନ୍ତି । ଏହା କୁ ନେଇ ଦମନ ପୋଲିସରେ ଅଭିଯୋଗ କଲା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।