ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦୀର୍ଘଦିନ ହେଲା ଲାଗି ରହିଥିବା ଅଯୋଧ୍ୟା ରାମଜନ୍ମଭୂମି-ବାବ୍ରୀ ମସଜିଦ ମାମଲା ରାୟକୁ ଏବେ ସାରା ବିଶ୍ୱ ଅପେକ୍ଷା କରି ରହିଛି । ଏହି ଜମି କାହାକୁ ଯିବ ତାକୁ ନେଇ ସମସ୍ତଙ୍କ ଉକ୍ରଣ୍ଠା । ଏନେଇ ସର୍ବୋଚ୍ଚ ନ୍ୟାୟଳୟରେ ସମସ୍ତ ଶୁଣାଣୀ ଶେଷ ହୋଇଥିବା ବେଳେ କେବଳ ରାୟକୁ ଅପେକ୍ଷା ରହିଛି । ଆଶା କରାଯାଉଛି ୨୦ ସୁଦ୍ଧା ଏହି ରାୟ ପ୍ରକାଶ ପାଇବ । ତେବେ ଏହାକୁ ଦୃଷ୍ଟିରେ ରଖି ଆରଏସଏସ ପକ୍ଷରୁ ଆନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ସ୍ତଗିତ କରାଯାଇଛି ।
ଏହା ସହିତ ସ୍ୱୟଂସେବକର ଆଉ ଏକ ଟିମ ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ଏହି ଟିମ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସବୁଆଡେ ବୁଲି ନ୍ୟାୟ ପ୍ରକାଶ ପାଇବା ପରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିବ । ରାୟ ପ୍ରକାଶ ପାଇବା ପରେ ଆରଏସଏସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯିବ ନାହିଁ ବୋଲି ଆରଏସଏସ ପକ୍ଷରୁ କୁହାଯାଇଛି । ଏମିତିକି ରାୟକୁ ନେଇ ଶୋସାଲ ମିଡିଆରେ ମଧ୍ୟ କୌଣସି ପ୍ରତିକ୍ରିୟା ନଦେବା ପାଇଁ ସଂଘ ପକ୍ଷରୁ ଲୋକଙ୍କୁ ନିବେଦନ କରାଯିବ ।
ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ଠାରୁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି । ଏମିତି କି କିଛି ଲୋକ ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘର ପାଇଁ ସଉଦା ମଧ୍ୟ ସାଇତି ରଖୁଥିବା ଦେଖିବାକୁ ମିଳିଛି ।