ରାୟଗଡା(ଏଟିଆର ବ୍ୟୁରୋ): ନୋଟ ବନ୍ଦି ପରେ ସାଧାରଣ ଲୋକ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ତେବେ ଅତଙ୍କବାଦୀ ମାନଙ୍କ ପାଖକୁ ଦିଆଯାଉଥିବା ଫଣ୍ଡିଙ୍ଗ ଓ କଳାଧନ ବାହାର କରିବା ପାଇଁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଥିଲେ । ଏହା ପରେ ବହୁ କଳାଧନ ରଖିଥିବା ଲୋକ ମାନେ ବିଚଳିତ ହୋଇପଡିଥିଲେ । ଏହା ସହ ନକଲି ନୋଟ ଉପରେ ରୋକ ଲାଗିବ ବୋଲି ଅନୁମାନ କରାଯାଉଥିଲା । ସମସ୍ତ ଭାବିଥିଲେ ଯେ ଆଉ କେଉଁଠି ନକଲି ନୋଟ ଦେଖିବାକୁ ମିଳିବ ନାହିଁ । କିନ୍ତୁ ଆଜି ରାୟଗଡା ପୋଲିସ ନକଲି ନୋଟ କାରବାରର ପଦାଫାଶ କରିଛି ।
ସୂଚନା ଅନୁସାରେ ରାୟଗଡା ଜିଲ୍ଲା ଟିକିରି ଥାନା ପୋଲିସ ନିକଟକୁ ଏକ ବିଶେଷ ସୂତ୍ରରୁ ନକଲି ନୋଟ କାରବାରର ଖବର ଆସିଥିଲା । ଖବର ପାଇ ପୋଲିସ ତୁରନ୍ତ ସେଠାରେ ଚଢାଉ କରି ଜଣେ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୧୧୫ଟି ୨ ହଜାର ଟଙ୍କିଆ ନୋଟ ଜବତ କରିଛି । ଗିରଫ ହୋଇଥିବା ଯୁବକ ଜଣଙ୍କ ହେଉଛିନ୍ତି ଟିକିରି ଅଞ୍ଚଳ ସୁନାମୁଦି ସାହିର ଦେବ ଜୋହନ ନାଏକ । ଦେବ କିଛି ଦିନ ହେବ ନକଲି ନୋଟର କାରବାର କରୁଥିଲେ । କାଲି ପୋଲିସ ଦେବଙ୍କ ଘରେ ଚଢାଉ କରି ନକଲି ନୋଟ ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହ ଏହି କରବାରରେ ଅନ୍ୟ କେହି ଥିବାର ସନ୍ଦେହ କରି ଛାନଭିନ ଆରମ୍ଭ କରିଛି ପୋଲିସ । ତେବେ ନକଲି ନୋଟ କାରବାର ଲିଙ୍କ ଖୋଜି ପୋଲିସ ବାହାର କରିବ ବୋଲି ରାୟଗଡା ଏସ୍ପି କହିଛନ୍ତି