କେନ୍ଦୁଝର(ଏଟିଆର ବ୍ୟୁରୋ): ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ । ଜଣେ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣରେ ଅତିଷ୍ଠ ହୋଇ ଛାତ୍ରୀ ମାନେ ହଷ୍ଟେଲ ଛାଡିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳରେ । ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଏମିତି ଥିଲେ ଯେ ଛାତ୍ରୀ ମାନେ ରାତି ଅଧରେ ହଷ୍ଟେଲ ଛାଡି ନିକଟସ୍ଥ ଗାଁକୁ ପଳାଇଥିଲେ । ସୂଚନା ଅନୁସାରେ ଯୋଡା ଅଞ୍ଚଳରେ ଥିବା ଏକ ଆବାସିକା ଛାତ୍ରୀ ନିବାସରେ ଦୈନିକ ଛାତ୍ରୀ ମାନଙ୍କୁ ଅସଦାଚରଣ କରୁଥିଲେ ପ୍ରଧାନ ଶିକ୍ଷକ ବାଣେଶ୍ୱର ପାତ୍ର ।
ଗତକାଲି ରାତିରେ ବାଣେଶ୍ୱର ହଷ୍ଟେଲରେ ପହଞ୍ଚି ୫ମ ଶ୍ରେଣୀ ଛାତ୍ରୀ ମାନଙ୍କୁ ଅସଦାଚରଣ କରିଥିଲେ । ଫଳରେ ୧୫ ଜଣ ଛାତ୍ରୀ ରାତି ଅଧରେ ଭୟଭୀତ ହୋଇ ହଷ୍ଟେଲ ଛାଡି ନିକଟସ୍ଥ ଗାଁକୁ ପଳାଇ ଯାଇଥିଲେ । ସେଠାରେ ଗ୍ରାମ ବାସୀ ମାନେ ଛାତ୍ରୀ ମାନଙ୍କୁ ଆଶ୍ରୟ ଦେଇଥିଲେ । ତେବେ ଖବର ପାଇ ବାମେବାରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ କରିଥିଲା । ଆଭିଯୋଗ କଥା ସତ ହୋଇଥିବାରୁ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ପୋଲିସ ଗତକାଲି ଠାରୁ ଥାନାରେ ଅଟକ ରଖିଛି । ଅନ୍ୟ ପଟେ ବଣେଶ୍ୱରଙ୍କ ବିରୋଧରେ ଅଭିଯୋଗ ପାଇବା ପରେ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି । ଛାତ୍ରୀ ମାନଙ୍କୁ ବୁଝାସୁଝା କରି ହଷ୍ଟେଲରେ ଛାଡି ଦିଆଯାଇଛି ।