ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଭୁବନେଶ୍ୱର ବିମାନ ବନ୍ଦରରୁ କଷ୍ଟମ ଅଧିକାରୀ ପୁଣି ରବିବାର ଜଣେ ବ୍ୟକ୍ତିଙ୍କଠାରୁ ସୁନା କଡା ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ୍ୟ ଟଙ୍କାରୁ ଅଧିକ ହେବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି ।
ଜଣେ ଭାରତୀୟ ନାଗରିକ ନିଜ ସାର୍ଟ ଭିତରେ ଏହି ସୁନା କଡା ଲୁଚାଇ ଆଣୁଥିବା ବେଳେ କଷ୍ଟମ ବିଭାଗ ହାତରେ ଧରାପଡିଛନ୍ତି
। ବ୍ୟକ୍ତି ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡିଛି । ତେବେ ବ୍ୟକ୍ତି ଜଣକ କେଉଁଠୁ ସୁନା ଆଣିଥିଲେ? କୁଆଡେ ନେବାର ଥିଲା? ସେନେଇ କିଛି ଠୋସ ତଥ୍ୟ ମିଳିନଥିବା ବେଳେ ଏନେଇ ତଦନ୍ତକୁ ଜୋରଦାର କରିଛି କଷ୍ଟମ ବିଭାଗ ।
ହେଲେ ବିଦେଶକୁ ବିମାନ ସୁବିଧା ହେବାରୁ ସୁନା ସ୍ମଗଲିଂ ଦିନକୁ ଦିନ ବଢ଼ୁଥିବା ଆଲୋଚନାର ବିଷୟ ହୋଇଛି । ଏହି ସୁନା ସ୍ମଗଲିଂର ଚେର କେଉଁଠୁ ଓ କେତେବାଟ ଲମ୍ବିଛି ତାର ଖୋଳତାଡ ହେବା ନିହାତି ଦରକାର ବୋଲି ଦାବି ହୋଇଛି ।
ଗତକାଲି ମଧ୍ୟ ବିମାନବନ୍ଦରରୁ କଷ୍ଟମ ବିଭାଗ ୨ଜଣ ଯୁବକଙ୍କୁ ଧରିବା ପରେ ସେମାନଙ୍କ ପାଖରୁ ୪ଶହ ଗ୍ରାମରୁ ଅଧିକ ସୁନା ଜବତ କରିଥିଲେ । ଗତ ୮ଦିନ ଭିତରେ ୫ରୁ ଅଧିକ ଥର ସୁନା ଜବତ ହେବା ଘଟଣା କଷ୍ଟମବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି ।