କୃର୍ଷ୍ଣପ୍ରସାଦ(ଏଟିଆର ବ୍ୟୁରୋ): ବେଆଇନ ଚିଙ୍ଗୁଡି ଘେରି କରିଥିବା ଜମି ମାନଙ୍କରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ । ପ୍ରଥମ ଦିନରେ ୧୩୭ ଏକର ଜାଗାରେ ଥିବା ଚିଙ୍ଗୁଡି ଘେରିକୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ । ସୂଚନା ଅନୁସାରେ ଚିଲିକାରୁ କୃର୍ଷ୍ଣପ୍ରସାଦ ମଧ୍ୟରେ ଥିବା ଚିଙ୍ଗୁଡି ଘେରି କୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ୩୦ ଜଣ ଶ୍ରମିକଙ୍କ ମାଧ୍ୟମରେ ଏହି ଉଚ୍ଛେଦ ପ୍ରକ୍ରିୟା କରାଯାଉଛି । ଆଜି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଉଚ୍ଛେଦ ହେଉଥିବା ଜାଗାକୁ ଯାଇ ପରିର୍ଦଶନ କରିଛନ୍ତି । ତହସିଦାର ପକ୍ଷରୁ ସୂଚନା ମିଳିଛି ଯେ, ଆସନ୍ତା ଏକ ମାସ ଧରି ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ।
ଅନ୍ୟପଟେ ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ କରାଯାଉଛି । ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ଅନ୍ଦୋଳନ ହେବାର ସୂଚନା ରହିଛି । ଦ୍ୱୀପାଞ୍ଚଳ ପେଷାଦାର ମତ୍ସ୍ୟଜୀବି ମହାସଂଘ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିବା ସହ ତହସିଲଦାରଙ୍କ ବାସଭବନକୁ ଘେରାଉ କରିବାର ଚେତାବନୀ ଦିଆଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।