ଭୁବନେଶ୍ୱର(ଏଟିଆର ବ୍ୟୁରୋ): ୨୦ଟି ଖଣି ନିଲାମ ବାତିଲ ହୋଇଛି । ରାଜ୍ୟ ସରକାର ଗତ ଅକ୍ଟୋବର ମାସରେ ଡାକିଥିବା ଖଣି ନିଲାମ ଟେଣ୍ଡରକୁ ବାତିଲ କରିଛନ୍ତି । ତେବେ ଏହି ସବୁ ଖଣିର ସାନି ନିଲାମ ହେବ ବୋଲି ସରକାର ନିଷ୍ପତି ନେଇଛନ୍ତି । ରାଜ୍ୟ ସରକାର ଗତ ଅକ୍ଟୋବର ୪ରୁ ଖଣି ନିଲାମ ପ୍ରକ୍ରିୟା ଆରମ୍ଭ କରିଥିଲେ । ଅକ୍ଟୋବର ମାସରେ ୪୦ଟି ଖଣିରେ ନବୀକରଣ ଲାଗି ଟେଣ୍ଡର ହୋଇଥିଲା । ଏହି ନିଲାମ ପ୍ରକ୍ରିୟାରେ ସାଙ୍ଘାତିକ ତ୍ରୁଟି ଥିବାର ଅଭିଯୋଗ ହୋଇଥିଲା ।
ରାଜ୍ୟ ସରକାର ଏହି ଅଭିଯୋଗକୁ ଗୁରୁତର ସହ ନେଇ ଗତ ୩୦ ତାରିଖରେ ବୈଷୟିକ ମୂଲ୍ୟାୟନ କମିଟି ଓ ଉଚ୍ଚ ସ୍ତରୀୟ କମିଟି ବୈଠକ ଡାକି ହୋଇଥିବା ଅଭିଯୋଗର ସମୀକ୍ଷା କରିଥିଲେ । ଏହି ବୈଠକରେ ଅକ୍ଟୋବର ମାସରେ ହୋଇଥିବା ୩ଟି ଯାକ ନିଲାମ ପ୍ରକ୍ରିୟାକୁ ବାତିଲ କରିବା ପାଇଁ ସରକାରଙ୍କୁ ସୁପାରିଶ କରାଯାଇଥିଲା । ତେବେ ଏହି ବୈଠକ ପରେ ସରକାର ଅକ୍ଟୋବର ୪ଓ ୧୪ ତାରିଖରେ ହୋଇଥିବା ୨୦ଟି ଖଣି ନିଲାମ ପ୍ରକ୍ରିୟାକୁ ବାତିଲ କରିବା ସହ ଏହାର ସାନି ନିଲାମ କରାଯିବ ବୋଲି ନିଷ୍ପତି ନେଇଛନ୍ତି । ଏହାକୁ ନେଇ ଆସନ୍ତା ୬ତାରିକରେ ବିଜ୍ଞପ୍ତି ଜାରି ହେବ ବୋଲି ସୂଚନା ମିଳିଛି । ତେବେ ନୂଆ ଖଣି ନିଲାମ ପ୍ରକ୍ରିୟାରେ ଆଉ କିଛି ସର୍ତ୍ତାବଳୀ ଯୋଡାଯିବ ବୋଲି ସରକାର ସୂଚନା ଦେଇଛନ୍ତି।