କନ୍ଧମାଳ(ଏଟିଆର ବ୍ୟୁରୋ): ସମ୍ମାନିତ ହେଲେ ଓଡିଆ ଝିଅ ଝୁଲିମା । ଝୁଲିମା ମଲ୍ଲିକ ହେଉଛନ୍ତି ଓଡିଶାର କନ୍ଧମାଳ ଜିଲ୍ଲାର କେ ନୂଆଗାଁ ବ୍ଲକର ବାନ୍ଦୁଡି ଗାଁର ଆଦିବାସୀ ଝିଅ । ଆନ୍ତର୍ଜାତୀୟ ସେବା ଦିବସ ପାଳନ ଅବସରରେ ନୂଆଦିଲ୍ଲୀର ୟୁଏନ ହାଉସ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାରା ଭାରତରୁ ୧୦ ଜଣଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଓଡିଶାରୁ ଏକ ମାତ୍ର ଝିଅ ଭାବେ ଝୁଲିମାଙ୍କୁ ସମ୍ମାନିତ କରାଯାଇଥିଲା ।
ଝୁଲିମା ୨୦୧୬ ମସିହାରୁ କନ୍ଧମାଳ ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଭ ଦି ଚିଲ୍ଡ୍ରେନ ଓ ସ୍ୱାତୀ ସ୍ୱେଚ୍ଛାସେବୀ ଭାବେ ଯୋଗଦେଇଥିଲେ । ଝୁଲିମା ନିଜ ବଳରେ ନିଜର ବାଲ୍ୟ ବିବାହ ରୋକିବା ପରେ ନିଜ ପ୍ରଚେଷ୍ଟାରେ ୧୨ଟି ବାଲ୍ୟ ବିବାହକୁ ବନ୍ଦ କରିବାରେ ସଫଳ ହୋଇଛିନ୍ତି । ଝୁଲିମା ସ୍ୱେଚ୍ଛାକୃତ ଭାବେ ବାଳିକା ଶିକ୍ଷାର ପ୍ରଚାର ପ୍ରସାର, ବାଲ୍ୟ ବିବାହକୁ ବିରୋଧ, ଯୌନ ପ୍ରଜନନ ଅଧିକାର ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଲୋକ ମାନଙ୍କୁ ସଚେତନ କରୁଛନ୍ତି । ସମ୍ମାନିତ ହେବା ପରେ ଝୁଲିମା ନିଜର ଖୁସୀ ବ୍ୟକ୍ତ କରିବା ସହ ଆଗାମୀ ଦିନରେ ସେ କରୁ ଥିବା କାର୍ଯ୍ୟକୁ ଆହୁରି ଜୋର କରିବେ ବୋଲି କହିଛନ୍ତି । ବର୍ତ୍ତମାନ ଝୁଲିମା କେ ନୂଆଗାଁ ବ୍ଲକ ସ୍ତରୀୟ ଅନନ୍ୟା ବାଳିକା ମହାସଂଘର ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।